ଅଦାଲତ ଅବମାନନା ମାମଲା: ଉଚ୍ଚଶିକ୍ଷା ସଚିବଙ୍କ ନାମରେ ୱାରେଣ୍ଟ

Spread the love

କଟକ(ବ୍ୟୁରୋ): ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ହାଇକୋର୍ଟ ଦୁଇଟି ଅଦାଲତ ଅବମାନନା ମାମଲର ଶୁଣାଣି କରି ଉଚ୍ଚଶିକ୍ଷା ସଚିବ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ଉଚ୍ଚଶିକ୍ଷା ସଚିବଙ୍କୁ ଜାନୁଆରି ୨୨ରେ ହାଜର କରାଇବା ପାଇଁ ଏପରି ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରାଯାଇଛି। ଅନ୍ୟପକ୍ଷରେ ଇତି ମଧ୍ୟରେ ଯଦି ପୂର୍ବ ଆଦେଶ ପାଳନ କରାଯାଏ ତେବେ ତାଙ୍କ ବିରୋଧରେ ଏହି ନିର୍ଦ୍ଦେଶ ଆଧାରରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ତପନ କୁମାର ପଟ୍ଟନାୟକ ଓ କ୍ଷୀରୋଦ ପ୍ରସାଦ ସାହୁଙ୍କ ତରଫରୁ ଦାୟର ଦୁଇ ପୃଥକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ଏଠାରେ ସୂଚନା ଯୋଗ୍ୟ ଯେ ଇନକ୍ରିମେଣ୍ଟ ପ୍ରଦାନରେ ନିୟମ ଉଲ୍ଲଂଘନ ନେଇ ଆବେଦନକାରୀ ଅଧ୍ୟାପକ ଅଭିଯୋଗ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆବେଦନକାରୀ ଇନ୍ରକିମେଣ୍ଟ ପାଇବାକୁ ହକଦାର ବୋଲି ଦାବି କରିଥିଲେ। ଏ ନେଇ ସରକାରଙ୍କ ନିକଟରେ ଆବେଦନକାରୀ ଦାବିପତ୍ର ଦାଖଲ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଦାବିପତ୍ର ଉପରେ ୮ସପ୍ତାହ ଭିତରେ ନିଷ୍ପତ୍ତି ନେଇ ଆବେଦନକାରୀଙ୍କୁ ଅବଗତ କରିବାକୁ ୨୦୨୫, ଜୁଲାଇ ୩୦ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ହାଇକୋର୍ଟରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଡିସେମ୍ବର ୧୨ରେ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସରକାର ସମୟ ନେଇଥିଲେ। ଏହାପରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନାହିଁ। ଏଭଳି ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!