ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ମୁଖ୍ୟ ସଡ଼କରେ ଥିବା ରେଳ ଫାଟକ ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳା ଚଳନ୍ତା ମାଲବାହୀ ଟ୍ରେନ୍ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ତତ୍ପରତା ଓ ମାନବିକତା ଯୋଗୁଁ ଗୁରୁତର ଆହତ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିଲା। ସୂଚନା ଅନୁଯାୟୀ, ଖପ୍ରାଖୋଲ ଥାନା ଦର୍ଲିପାଲି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ଭଙ୍ଗା ଗ୍ରାମର ଅଶୋକ ସାଣ୍ଢଙ୍କ ପ୍ରଥମ ସ୍ତ୍ରୀ ତୁଳ ସାଣ୍ଢ (୪୦) ଦୀର୍ଘ ଦିନ ଧରି ମାନସିକ ରୋଗରେ ପୀଡ଼ିତ ଥିଲେ। ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ତାଙ୍କର ଚିକିତ୍ସା କରାଯାଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ସେ ପ୍ରାୟତଃ କାହାକୁ କିଛି ନ କହି ଘରୁ ବାହାରି ଚାଲିଯାଉଥିଲେ ଏବଂ କିଛି ସମୟ ପରେ ପୁଣି ଘରକୁ ଫେରି ଆସୁଥିଲେ। ଗୁରୁବାର ସକାଳେ ମହିଳା ଜଣକ ଘରୁ ବାହାରି ଲାଠୋରରେ ପହଞ୍ଚିଥିଲେ। ଦିନ ପ୍ରାୟ ୧୨ଟା ସମୟରେ କଣ୍ଟାବାଞ୍ଜି ପଟରୁ ଆସୁଥିବା ଏକ ମାଲବାହୀ ଟ୍ରେନ୍ ସମ୍ମୁଖରେ ସେ ରେଳ ଲାଇନକୁ ଡେଇଁ ପଡ଼ିଥିଲେ । ଫଳରେ ତାଙ୍କ ମୁଣ୍ଡ ଓ ହାତରେ ଗୁରୁତର ଆଘାତ ଲାଗିଥିଲା। ଘଟଣା ଦେଖି ଲାଠୋରର ସ୍ଥାନୀୟ ସ୍ୱେଚ୍ଛାସେବୀ କାଶୀନାଥ ମେହେର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତାଙ୍କ ତତ୍ପରତାରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାର ଖବର ପାଇ ମହିଳାଙ୍କ ପରିବାର ଲୋକେ ପାଟଣାଗଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ, ବିପଦ ସମୟରେ କାଶୀନାଥ ମେହେରଙ୍କ ତତ୍ପରତା, ମାନବିକତା ଓ ସେବାଭାବକୁ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ସାଧୁବାଦ ଜଣାଇଛନ୍ତି।
