ପୁରୀ: ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜାନଅର ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି । ଗୁରୁବାର ରଥ ନିର୍ମାଣର ୭୩ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁବାର ତିନିରଥର ଉଠିଲା ନାଟଗୋଡ ସହ ଦୁଆରବେଢା । ପୋଟଳ ନାହାକାରେ କଣ୍ଟା ବାଡ଼ିଆ ଓ ସଂଯୋଗ ଶେଷ ହୋଇଛି । ନୂତନ ସିଂହାସନ ମାଲ କାଠର ଚଉପଟ କାର୍ଯ୍ଯ ଶେଷ ହୋଇଛି । ବୁଧବାର ସୁଦ୍ଧା ତିନିରଥ ଚାଲିରେ ଦୁଇଟି ଲେଖାଏଁ ୩୦ ଫୁଟିଆ ନୂତନ ମାଲ କାଠ ର ଚଉପଟ କାର୍ଯ୍ୟ ସହ ତିନିରଥର ପ୍ରଭାରେ ରୁପଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ଆଜି ତିନିରଥରେ ଆଠଟି ଲେଖାଏଁ ଋଷି ପଟା ସଂଯୋଗ ଶେଷ ହୋଇଛି ।

ଏହି ଋଷି ପଟା ତିନିରଥର ବେକି ରେ ତୃତୀୟ ଭୂଇଁ ବା ଅଗ ଭୂଇଁ ରୁ ବଡ ଥଳ ପୋଟଳ ପର୍ଯ୍ୟନ୍ତ ପୋଟଳକୁ ଟେକି ଧରିଥିବା ୮ ଗୋଟି ପୋଟଳ ନାହାକା ରେ କଣ୍ଟା ବାଡ଼ିଆ ଯାଇ ସଂଯୋଗ କରାଯାଇଛି। ସିଂହାସନରୁ ଓହ୍ଲାଇବା ଏବଂ ସିଂହାସନକୁ ବିଜେ ପାଇଁ ଶାଳ କାଠର ନୂତନ ମାଲ କାଠ ର ଚଉପଟ କାର୍ଯ୍ୟ ଶେଷ ହୋଇଛି। ତିନିରଥର ମହାରଣା ସେବକ ମାନେ ଗତ କାଲିଠାରୁ ଚଉପଟ ଜାରୀ ରଖିଥିବା ଦୁଇଟି ଲେଖାଏଁ ୩୦/୩୧ ଫୁଟିଆ ମାଲ କାଠ ର ଚଉପଟ କାର୍ଯ୍ୟ ସହ ରଞ୍ଜା ମରା କାର୍ଯ୍ୟ ଶେଷ କରିଛନ୍ତି। ଆଜି ରୂପକାର ସେବକ ମାନେ ତିନିରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ କରିଛନ୍ତି । ଏଥିସହ ଦାଗ ରହିଥିବା ସ୍ଥାନରେ ଚିତ୍ରକାର ସେବକ ମାନେ ପୁଟୁଣି ଦେଇ ପଲିସ୍ କାର୍ଯ୍ୟ ଶେଷ କରି ଚିତ୍ରକାର ସେବକ ମାନଙ୍କୁ ଖୋଦେଇ ରୂପରେ ରଙ୍ଗ କାର୍ଯ୍ୟ ପାଇଁ ହସ୍ତାନ୍ତର କରିଛନ୍ତି। ମୁଖ୍ୟ ଚିତ୍ରକାର ସେବକ ଦେବରାଜ ମହାପାତ୍ର ଏବଂ ସହଯୋଗୀ ଚିତ୍ରକାର ସେବକ ମାନେ ତିନିରଥର ୮୧ ଗୋଟି ପାର୍ଶ୍ୱ ଦେବ ଦେବୀ ମୂର୍ତ୍ତି, ସମସ୍ତ ହଂସ ପଟା, ତିନିରଥର ୬ ଗୋଟି ଶୁଆ, ତିନିଗୋଟି ଅଁଳା, ତିନିରଥର ସଖୀ, ତିନିରଥର ଦେବ ଦେବୀ ଆସ୍ଥାନ ଫ୍ରେମ୍ ବା ଶିଖର ଡମ୍ବରୁ, ୬ ଗୋଟି କଳସ, ତିନିଗୋଟି ପିତଳ କଳସ,୧୨ ଗୋଟି ଘଣ୍ଟି, ତିନିରଥର ୮ ଟି ଲେଖାଏଁ ହାତୀ ପଟା ଏବଂ ମଗର ପଟା, ଋଷି ପଟା ଏବଂ ତିନିରଥର ଠେକେରା ବାଡ଼ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଶେଷ କରି ତିନିରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର କଳସ ପାଇଁ କଳସ ଫାନ୍ଦ କଣ୍ଟା ନିର୍ମାଣ ସହ ତିନି ଗୋଟି ନୂତନ ବ୍ରେକ ପୁଲି ରେ ଲାଗିବା ପାଇଁ ୬ ଟି ଲେଖାଏଁ ଲୁହା କଡା ନିର୍ମାଣ ଜାରୀ ରଖିଛନ୍ତି।

ଆଜି ତିନିରଥର ଦୁଆର ବେଢ଼ା ରଥ ଉପରକୁ ଉଠିଛି । ଭୋଇ ସେବକ ମାନେ ଦୁଆର ବେଢ଼ା ଉଠାଇବା ପାଇଁ ବାଉଁଶ ତେଣ୍ଟିଆ ପ୍ରସ୍ତୁତ କରି ଆରମ୍ଭ କରି ରଥ ଉପରକୁ ଦୁଆର ବେଢ଼ା ଉଠାଇଥିଲେ । ତିନିରଥକୁ ଦୁଆର ବେଢ଼ା ଉଠିଲା ପରେ ଦୁଆର ବେଢ଼ା ଚନ୍ଦ୍ର ଶାଳୀରେ ଧ୍ୱଜ ବତା ଫିଟିଙ୍ଗ କରାଯିବ । ଧ୍ୱଜ ବତା ଫିଟିଙ୍ଗ ପରେ ରଥ କନା ପଡ଼ିବା ପୂର୍ବରୁ ରଥ ଚାରି ପାର୍ଶ୍ୱ କୋଣ ଗୁଡିକରେ ୮ ଟି ଲେଖାଏଁ କଣି ଫାଉଡା ସଂଯୋଗ ସହ ରଥ ଚାରି ପାର୍ଶ୍ୱରେ ହାତୀ ଆଳ ମାଳ ପୋଟଳ ତଳୁ ଦୁଆର ବେଢ଼ା ପର୍ଯ୍ୟନ୍ତ ସଂଯୋଗ ହେବ । ତତ୍ ପରେ ରଥ ଉପରକୁ କଳସ ଉଠି ରଥରେ କନା ପଡ଼ିବା ସହ, କନକ ମୁଣ୍ଡିରେ ପିତଳ ଚଦର ଫିଟିଙ୍ଗ କାର୍ଯ୍ୟ ସମାନ୍ତରାଳ ଭାବେ କାର୍ଯ୍ୟ ଜାରୀ ରହିବ । ଏଥିସହ ନାଟ ଗୋଡ଼ ଗୁଡିକୁ ସୁରକ୍ଷା ଦେବାପାଇଁ ଦୁଆର ବାଣିଆ ୧୪ ନାହାକା ରୁ ନାଟ ଗୋଡ଼ ସହ ବଟନ୍ ବାଡ଼ିଆ କାର୍ଯ୍ୟ ବାଡ଼ିଆ କାର୍ଯ୍ୟ ଶେଷ ପରେ ରଥରେ ପ୍ରଭା ଫିଟିଙ୍ଗ ଶେଷ ପରେ, ତିନିରଥ ସିଂହଦ୍ୱାର ଆଭିମୁଖ୍ୟ ଯାତ୍ରା ପାଇଁ ପ୍ରସ୍ତୁତ ହେବେ। ତିନିରଥର ନିର୍ମାଣକାରୀ ସେବକ ମାନେ ନିଷ୍ଠା ଶ୍ରଦ୍ଧା ଓ ଭକ୍ତିର ସହ ତିନିରଥର ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।
