ଭୁବନେଶ୍ୱର(ବ୍ୟୁରୋ): ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନରେ ବ୍ୟାପକ ସଂଶୋଧନ କରାଯାଇ ଏକ ନୂତନ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’ ଅଣାଯିବ। ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରଚଳିତ ବିଭିନ୍ନ ଜଟିଳ ରାଜସ୍ୱ ଆଇନକୁ ଅଧ୍ୟୟନ କରାଯାଇ ସେଗୁଡ଼ିକୁ ଏକ ଶକ୍ତ ଆଇନଗତ ଢାଞ୍ଚା ମଧ୍ୟକୁ ଅଣାଯିବ। ‘ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ’ (ଙଚଖଋ) ଏବଂ ‘ଓଡ଼ିଶା ସରକାର ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ’ରେ ପରିବର୍ତ୍ତନ କରାଯିବ। ଏହି ନୂଆ ଆଇନ ଦ୍ୱାରା ଜମିଜମା ବିବାଦର ସ୍ଥାୟୀ ସମାଧାନ ହେବା ସହ ଜମି ବନ୍ଦୋବସ୍ତ ପ୍ରକ୍ରିୟା ଅଧିକ ଦ୍ରୁତ ହେବ। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନୂଆ ଆଇନର ଡ୍ରାଫ୍ଟ ବା ଚିଠା ପ୍ରସ୍ତୁତ ସରିଛି। ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ନିମ୍ନଲିଖିତ ପଦକ୍ଷେପ ନିଆଯିବ। ଅନୁମୋଦନ ପରେ ଚିଠା ପ୍ରସ୍ତାବକୁ ଏକ ମାସ ପାଇଁ ୱେବସାଇଟରେ ରଖାଯାଇ ଲୋକଙ୍କ ମତାମତ ଲୋଡ଼ାଯିବ। ସମସ୍ତଙ୍କ ମତାମତ ପରେ ଏହା ଆଇନ ବିଭାଗକୁ ଯିବ ଏବଂ ପରେ କ୍ୟାବିନେଟ୍ର ମୋହର ବାଜିବ। ଆସନ୍ତା ବିଧାନସଭା ଅଧିବେଶନରେ ଏହି ବିଲ୍ ଉପସ୍ଥାପନ କରାଯିବ ଏବଂ ପାସ୍ ହେବା ପରେ ଏହା ନୂଆ ଆଇନରେ ପରିଣତ ହେବ। ବ୍ରିଟିଶ ଅମଳରୁ ରହିଆସିଥିବା ପୁରୀର ଜଟିଳ ଜମି ସମସ୍ୟା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଜମି ସମ୍ପର୍କିତ ବିବାଦର ସମାଧାନ ପାଇଁ ସରକାର ଏକ ସ୍ୱତନ୍ତ୍ର ଓ ସୁଚିନ୍ତିତ ଆଭିମୁଖ୍ୟ ଗ୍ରହଣ କରିବେ। ଜବରଦଖଲ ରୋକିବା ପାଇଁ ତହସିଲଦାରମାନଙ୍କୁ ଅଧିକ କ୍ଷମତା ଦିଆଯିବା ନେଇ ମଧ୍ୟ ଯୋଜନା ରହିଛି।
ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ















Leave a Reply