ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି ନିତିନ ନବୀନ। ଏହା ପୂର୍ବରୁ ତାଙ୍କ ନାମକୁ ଆନୁଷ୍ଠାନିକ ଭାବେ ପାର୍ଟିର ମୁଖ୍ୟାଳୟରେ ଘୋଷଣା କରାଯାଇଥିଲା। ୪୫ ବର୍ଷୀୟ ନିତିନ ନବୀନ ପାର୍ଟିର ସର୍ବକନିଷ୍ଠ ତଥା ୧୨ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ କିଛିଦିନ ହେଲା ସେ ପାର୍ଟିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଭାର ସମ୍ଭାଳିଥିଲେ। ଏହି ଉପଲକ୍ଷେ ନୂଆଦିଲ୍ଲୀ ପାର୍ଟିର ମୁଖ୍ୟାଳୟରେ ଆୟୋଜିତ ଉତ୍ସବରେ ପାର୍ଟିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଦାୟୀ ସଭାପତି ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ରାଜନାଥ ସିଂହ, ନିତିନ ଗଡ଼କାରୀ ପ୍ରମୁଖ ନିତିନ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋମବାର ପାର୍ଟିର ଜାତୀୟ ରିଟର୍ଣ୍ଣିଂ ଅଫିସର କେ. ଲକ୍ଷ୍ମଣ ନିତିନ ନବୀନଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରି ୩୭ ସେଟ୍ ମନୋନୟନପତ୍ର ଗ୍ରହଣ କରିଥିଲେ। ସେଥିରୁ ରାଜ୍ୟ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ବେଳେ ଗୋଟିଏ ସଂସଦୀୟ ପାର୍ଟିରୁ ଆସିଥିଲା। ତାଙ୍କ ପ୍ରାର୍ଥିତ୍ୱକୁ ପ୍ରଧାମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ,ନିତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ଭୂପିନ୍ଦର ଯାଦବ, କିରନ ରିଜିଜୁ, ହରଦୀପ ପୁରୀ, ଜେପି ନଡ଼ା ପ୍ରମୁଖ ସମର୍ଥନ ଜଣାଇଥିଲେ। ପୂର୍ବରୁ ନିତିନ ନବୀନ ବିହାରରେ ୫ ବର୍ଷ କାଳ ବିଧାୟକ ରହିଥିଲେ। ତେବେ ଆଗକୁ କେତୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ତାଙ୍କ ଦାୟିତ୍ୱ ବଢ଼ିଯାଇଛି। ସେ ଏହାକୁ କିଭଳି ତୁଲାଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ନିତିନ ନବୀନ













Leave a Reply