ଗୌହାଟୀ/ଇମ୍ଫାଲ: ମଣିପୁରରେ ଚାଲିଥିବା ଜାତିଆଣ ଦଙ୍ଗା ସମୟରେ ଗଣଦୁଷ୍କର୍ମର ଶିକାର ହୋଇ ଅଢ଼େଇ ବର୍ଷରୁ ଅଧିକ କାଳ ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିବା କୁକି ଆଦିବାସୀ ସଂପ୍ରଦାୟର ଜଣେ ଯୁବତୀ ଶେଷରେ ଆଖି ବୁଜିଛନ୍ତି। ଚୁରଚନ୍ଦନପୁର ଜିଲ୍ଲାର ସରକାରୀ ଡାକ୍ତରଖାନାରେ ପୀଡ଼ିତା ଜଣକ ଚିକିତ୍ସାଧୀନ ରହିଥିଲେ। ଯୁବତୀ ଜଣକ ଇମ୍ଫାଲର ଏକ ବ୍ୟୁଟିପାର୍ଲରେ କାମ କରୁଥିଲେ। ଜାତିଆଣ ଦଙ୍ଗା ବେଳେ ୨୦୨୩ ମସିହା ମଇ ୧୫ ତାରିଖ ଦିନ କେତେଜଣ ତାଙ୍କୁ ଅପହରଣ କରି ବିଷ୍ଣୁପୁର ଜିଲ୍ଲାର ଏକ ପାହାଡ ଉପରକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ପରେ ଯୁବତୀଜଣକ କୌଣସିମତେ ଖସି ଆସିବାକୁ ସକ୍ଷମ ହୋଇଥିଲେ। ସେତେବେଳେ ତାଙ୍କୁ ୧୮ ବର୍ଷ ବୟସ ହୋଇଥିଲା। ଘଟଣା ପରଠାରୁ ସେ ଅସୁସ୍ଥ ହୋଇ ନାଗାଲାଣ୍ଡ, ଆସାମ ଓ ମଣିପୁରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହୋଇ ଘରକୁୁ ଫେରିବା ପରେ ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ। ସେ ଜରାୟୁ ଟ୍ୟୁମରରେ ପୀଡ଼ିତ ଥିବା ପରୀକ୍ଷଣ ବେଳେ ଜଣାପଡ଼ିଥିଲା। କିଛିଦିନ ତଳେ ସେ ଗୁରୁତର ଅସୁସ୍ଥ ହୋଇ ପୁଣି ଥରେ ଚୁରଚନ୍ଦନପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚଳିତ ଜାନୁଆରୀ ୧୧ତାରିଖରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ପୀଡ଼ିତାଙ୍କ ମା’ ପ୍ରକାଶ କରିଛନ୍ତି।
ଶେଷରେ ଆଖିବୁଜିଲେ କୁକି ଯୁବତୀ, ୨୦୨୩ ଜାତିଆଣ ଦଙ୍ଗା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ













Leave a Reply