ହାୱଡ଼ା: ରେଳ ସେବା ଇତିହାସରେ ଶନିବାର ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ହାୱାଡ଼ାରୁ ଗୌହାଟୀକୁ ଗଡ଼ିଛି ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ପଶ୍ଚିମବଙ୍ଗର ମାଲଦା ଷ୍ଟେସନରେ ପତାକା ଦେଖାଇ ଏହି ବହୁ ପ୍ରତୀକ୍ଷିତ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଫଳରେ ଦୁଇ ରାଜ୍ୟ ମଧ୍ୟରେ ଦ୍ରୁତଗତି ଟ୍ରେନ୍ ସେବାର ପ୍ରତିଷ୍ଠା ହୋଇପାରିଛି। ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବନ୍ଦେ ଭାରତ ସ୍ଲିପର ଟ୍ରେନଟି ଯାତ୍ରୀଙ୍କୁ ବିମାନଯାତ୍ରାର ଅନୁଭୂତି ପ୍ରଦାନ କରିବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନଟି ଘଣ୍ଟା ପ୍ରତି ୧୮୦ କିମି ବେଗରେ ଗତି କରିବାର କ୍ଷମତା ରଖିଛି। ତେବେ ଏହା ଘଣ୍ଟା ପ୍ରତି୧୨୦-୧୩୦ କିମି ବେଗରେ ଯାତ୍ରା କରିବାର ଆଶା କରାଯାଇଛି। ଏହା ଫଳରେ ହାୱଡ଼ା-ଗୌହ୍ୱାଟୀ(କାମାକ୍ଷା) ରୁଟ୍ରେ ଯାତ୍ରା ପ୍ରାୟ ଅଢ଼େଇ ଘଣ୍ଟା ହ୍ରାସ ଘଟିବ। ଟ୍ରେନଟି ଦ୍ରୁତ ଗତି ସହ ଯାତ୍ରୀଙ୍କୁ ସୁରକ୍ଷିତ ଓ ଆରାମଦାୟକ ଯାତ୍ରା ପ୍ରଦାନ କରିବ। ଏହାଛଡ଼ା ଟ୍ରେନଟି ଧାର୍ମିକ ଯାତ୍ରା ଓ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟାଇବ। ସ୍ୱଚ୍ଛତା ରକ୍ଷା ପାଇଁ ଟ୍ରେନରେ ବୈଷୟିକ ଜ୍ଞାନ କୌଶନର ଉପଯୋଗ କରାଯାଇଛି। ବିଶେଷ କଥାଟି ହେଉଛି, ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏୟାର ଲାଇନ୍ସ ଭଳି ସ୍ଥାନୀୟ ଖାଦ୍ୟ ପରଷା ଯିବ। ଟ୍ରେନଟି କାମାକ୍ଷାରୁ ହାୱଡ଼ା ଯାତ୍ରା ସମୟରେ ଯାତ୍ରୀଙ୍କୁ ଆସାମର ଖାଦ୍ୟ ଦିଆଯିବ। ସେହିପରି ହାୱଡ଼ାରୁ କାମାକ୍ଷା ଯିବା ବେଳେ ଯାତ୍ରୀଙ୍କୁ ବଙ୍ଗଳା ଖାଦ୍ୟ ପରଷା ଯିବ। ଏହିି ଅବସରରେ ଶ୍ରୀ ମୋଦି ୩, ୨୫୦ କୋଟି ଟଙ୍କା ବ୍ୟୟରେ ବହୁମୁଖୀ ରେଳ ଓ ସଡ଼କ ଭିିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି। ସେହିପରି ଉତ୍ତର ପୂର୍ବାଞ୍ଚଳ ପାଇଁ ୪ଟି ନୂଆ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନଗୁଡ଼ିକ ନିଉ ଜଲପାଇଗୁଡ଼ି-ନଗରକୋଏଲ, ନିଉ ଜଲପାଇଗୁଡ଼ି-ତିରୁଚିରାପଲ୍ଲୀ, ଆଲିପୁରଦୁଆର-ଏସଏମଭିଟି ବେଙ୍ଗାଲୁର ଓ ଆଲିପୁରଦୁଆର-ମୁମ୍ବାଇ ମଧ୍ୟରେ ଚଳାଚଳ କରିବ।
ଗଡ଼ିଲା ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍; ଶୁଭାରମ୍ଭ କଲେ ମୋଦି













Leave a Reply