କଳାହାଣ୍ଡି: କଳାହାଣ୍ଡି ଜିଲା କୋକସରା ଥାନା ଡାଲଗୁମା ଗ୍ରାମରେ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ।ଧାନ ମଣ୍ଡି ନିକଟସ୍ଥ ଏକ ବଗିଚାର ଘର ଦୁଆରେ ଶୋଇଥିବା ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୁଲିସ ଉଦ୍ଧାର କରିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକଙ୍କ ଝିଅ ଅଭିଯୋଗ କରିଛନ୍ତି। ମୃତକ ଜଣକ ହେଲେ ଡାଲଗୁମା ଗାଁର ସୁକଦେବ ଧରୁଆ(୫୫) । ସୂଚନା ଅନୁଯାୟୀ, ସେ ଗାଁ ମୁଣ୍ଡରେ ଥିବା ଏକ ବଗିଚାରେ ଜଗୁଆଳି ଭାବେ କାମ କରୁଥିଲେ। ତେବେ ସବୁଦିନ ସେ ସକାଳୁ ଘରକୁ ଫେରିଥାନ୍ତି। ହେଲେ ସୋମବାର ସକାଳୁ ସେ ଘରକୁ ଫେରି ନ ଥିଲେ, ତାଙ୍କ ଝିଅ ଫୋନ୍ କରିବା ପରେ ମଧ୍ୟ କଲ୍ ଉଠାଇ ନ ଥିଲେ। ଏହାପରେ ଝିଅ ବଗିଚା ନିକଟରେ ପହଞ୍ଚିଥ?ିବାବେଳେ ଘର ଦୁଆର ସାମ୍ନାରେ ଖଟିଆ ଉପରେ ବାପାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ କୋକସରା ପୁଲିସକୁ ଖବର ଦେଇଥିଲେ। କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସିଧାସଳଖ ଅଭିଯୋଗ କରିବା ସହ କେହି ଟେକି ନେଇ ହତ୍ୟା କରିବା ପରେ ପୁଣି ଖଟିଆରେ ଆଣି ସୁଆଇ ଦେଇଥିବା ତାଙ୍କ ଝିଅ ଅଭିଯୋଗ କରିଛନ୍ତି । ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଭର୍ଷିତା ଆଡେପୁ ଘଟଣାସ୍ଥଳ ରେ ପହଞ୍ଚି ବିଭିନ୍ନ ଦିଗକୁ ଛାନଭିନ ଆରମ୍ଭ କରିଥିଲେ। ଏହାପରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ଅଞ୍ଚଳର ଜଣେ ଯୁବକଙ୍କୁ ସନ୍ଦେହ କରି କୋକସରା ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଥ?ିବା ସୂଚନା ମିଳିଛି।
