ଭୁବନେଶ୍ୱର(ବ୍ୟୁରୋ): ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସୋମବାର ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ଉପକୂଳସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍ ଏସ୍-୪୦୦ ଇଂଟରସେପ୍ଟର ମିଜାଇଲ୍ର ବ୍ୟବହାରିକ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଅପରାହ୍ନ ୩ଟା ୪୦ ମିନିଟ୍ରେ ଏହି ପରୀକ୍ଷଣ କରାଯାଇଥିଲା। ଆକାଶମାର୍ଗରେ ଶତ୍ରୁପକ୍ଷର ମିଜାଇଲ୍ ସଦୃଶ ଗତି କରୁଥିବା ‘ବଂଶୀ’ ନାମକ ଏକ ଟାର୍ଗେଟ୍ ଡ୍ରୋନ୍କୁ ଏସ୍-୪୦୦ ସଫଳତାର ସହ ଚିହ୍ନଟ କରି ଧ୍ୱଂସ କରିଛି। ଏହି ପ୍ରଣାଳୀ ୪୦୦ କିଲୋମିଟର ପରିଧି ମଧ୍ୟରେ ଶତ୍ରୁପକ୍ଷର ବିମାନ, ଡ୍ରୋନ୍, ବାଲିଷ୍ଟିକ୍ ଏବଂ କ୍ରୁଜ୍ ମିଜାଇଲ୍କୁ ଚିହ୍ନଟ କରି ନିପାତ କରିବାରେ ସକ୍ଷମ। ଭାରତୀୟ ସେନା ଦ୍ୱାରା କରାଯାଇଥିବା ‘ଅପରେସନ ସିନ୍ଦୂର’ ରେ ଏସ୍-୪୦୦ ଇଂଟରସେପ୍ଟର ସିଷ୍ଟମ ବ୍ୟବହୃତ ହୋଇ ପାକିସ୍ତାନର ଆକ୍ରମଣକୁ ପ୍ରତିହତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ରୁଷିଆ ଓ ଭାରତ ଭଳି ଦେଶ ପାଇଁ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍ ବର୍ତ୍ତମାନ ପ୍ରତିରକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି।
