ବାରିପଦା /କରଞ୍ଜିଆ : କରଞ୍ଜିଆ ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ବୁଧବାର କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ବିପୁଳ ପରିମାଣର ମହୁଲଫୁଲ ଓ ମଦ ଜବତ ହେବା ସହ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। କରଞ୍ଜିଆ ଅବକାରୀ ଆଇଆଇସି ଜୟନ୍ତୀ ଆଚାର୍ଯ୍ୟ ଓ ଓଆଇସି ରଶ୍ମି ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏଏସଆଇ ଫୁଲମଣି ନାୟକଙ୍କ ସମେତ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଏହି ଚଢ଼ାଉ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚଢ଼ାଉ ସମୟରେ କେନ୍ଦୁମୁଣ୍ଡି ଗ୍ରାମର ରତ୍ନାକର ନାୟକଙ୍କ ନିକଟରୁ ୪୦୦ କିଲୋଗ୍ରାମ ମହୁଲଫୁଲ, ଘୋଡ଼ାଘାଗୁରି ଗ୍ରାମର ସତ୍ୟରଞ୍ଜନ କରାଇଙ୍କ ନିକଟରୁ ୧୮ ଲିଟର ଓଏସ୍ ମଦ ଏବଂ କରଞ୍ଜିଆ ସହରର ରଜାବନ୍ଧ ସାହିର ଚିତ୍ତରଞ୍ଜନ କାରୁଆଙ୍କ ନିକଟରୁ ୧୯ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପରବର୍ତ୍ତୀ ସମୟରେ କୋର୍ଟ ଚାଲାଣ କରାଯାଇଥିବା ଓଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଆଗାମୀ ଦିନରେ ଏଭଳି ଚଢ଼ାଉକୁ ଅଧିକ ଜୋରଦାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
