ଭୁବନେଶ୍ୱର: ନିଖିଳ ଓଡ଼ିଶା ଚେସ୍ସଂଘ ଆନୁକୂଲ୍ୟରେ ସ୍ଥାନୀୟ ପଟିଆସ୍ଥିତ ଏମ୍ ଏସ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୧୧ ବର୍ଷରୁ କମ୍ ରାଜ୍ୟ ମନୋନୟନ ଚେସ୍ ପ୍ରତିଯୋଗିତାର ୨ୟ ଦିନ ଖେଳ ଶେଷ ସୁଦ୍ଧା ବାଳକ ବିଭାଗରେ ଗଞ୍ଜାମର ଦୁଇ ଉଦୟମାନ ଚେସ୍ ତାରକା ଶିଭମ୍ ସାବତ ଓ ହୃଦେଶ ପାଣିଗ୍ରାହୀ ୪ର୍ଥ ରାଉଣ୍ଡ ଖେଳ ଶେଷ ସୁଦ୍ଧା ପୂର୍ଣ୍ଣ ୪ ପଏଣ୍ଟ ସହ ମିଳିତ ଭାବେ ଅଗ୍ରଣି ଲାଭ କରିଥିବା ବେଳେ ବାଳିକା ବିଭାଗରେ ସ୍ନେହସ୍ମିତା ରାମ (କଟକ) ଏବଂ ପ୍ରୀତିକା ପ୍ରଧାନ (ଖୋର୍ଦ୍ଧା) ପୂର୍ଣ୍ଣ ୪ ପଏଣ୍ଟ ସହ ମିଳିତ ଭାବରେ ଅଗ୍ରଣୀ ଲାଭ କରିଛନ୍ତି। ବାଳକ ବିଭାଗରେ ପ୍ରଜ୍ଞାନ ମିଶ୍ର, ଶାୟାଂଶ ଦାସ, ସତ୍ୟ ସୂରପ ତ୍ରିପାଠୀ, ସିଦ୍ଧାର୍ଥ ମଲ୍ଲିକ, ସୋନାଲ ବୈଭବ, ଆଦ୍ୟ ଅଦ୍ଭିକ ଦାଶ ଓ ଅତିକେଶ ସାହାଣୀ (ସମସ୍ତେ ଖୋର୍ଦ୍ଧା), ରାଯବ ବିଶ୍ୱାଳ (କଟକ) ୩.୫ ପଏଣ୍ଟ ସହ ମିଳିତ ଭାବରେ ୨ୟ ସ୍ଥାନରେ ରହିଛନ୍ତି। ରେୟାଂଶ ସାମଲ (ଢେଙ୍କାନଳ), ଆଦ୍ଭିକ ଆଦିତ୍ୟ ସ୍ୱାଇଁ, ରୋୟାଂଶ ମଲ୍ଲିକ, ଜିତେଶ ସାମଲ (ସମସ୍ତେ କଟକ) ଓ ସୂର୍ଯ୍ୟାଆଦିତ୍ୟ (ଢେଙ୍କାନାଳ) ଙ୍କ ସହ ୧୪ ଜଣ ଖେଳାଳୀ ୩ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି।

ବାଳିକା ବିଭାଗରେ ୟୈଶ ହାସିବ୍ ବିବେକ (ଅନୁଗୋଳ), ଟପ ସିଡ୍ ଅର୍ଣ୍ଣିକା ଦାଶ (ଖୋର୍ଦ୍ଧା) ୩.୫ ପଏଣ୍ଟ ସହ ୨ୟ ସ୍ଥାନରେ ଥିବାବେଳେ ଅନିଶା ଆଚାର୍ଯ୍ୟ, ଶ୍ରଦ୍ଧାଶ୍ରୀ ଲେଙ୍କା, ପ୍ରତ୍ୟାକ୍ଷା ସମ୍ଭାବୀ, ଆଦିଶ୍ରୀ ବୁଦେକ, ଅଦିତୀ ମହାରଣା, ରିୟା ଦାଶ, ସୃଜନୀ ଷଡଙ୍ଗୀ (ସମସ୍ତେ ଖୋର୍ଦ୍ଧା) ଓ ଆଦ୍ୟାଶା ମଲ୍ଲିକ (ଗଞ୍ଜାମ) ୩ୟ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ଆଜିର ମୁଖ୍ୟ ଘଟଣା ଥିଲା ସକାଳେ ୩ୟ ରାଉଣ୍ଡରେ ଢେଙ୍କାନାଳର ରେୟାଂଶ ସାମଲ, ଟପ ସିଡ୍ ଆଦିତ୍ୟ ଅଦ୍ଭିକ ସ୍ୱାଇଁଙ୍କୁ ପରାସ୍ତ କରି ବପର୍ଯ୍ୟାୟ ଘଟାଇଥିବାବେଳେ ୪ର୍ଥ ରାଉଣ୍ଡରେ ଖୋର୍ଦ୍ଧାର ପ୍ରୀତିକା ପ୍ରଧାନ ପ୍ରାୟ ୪ ଘଣ୍ଟା ଖେଳି ପ୍ରଥମ ଟେବୁଲରେ ଅନିଷା ଆଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ। ଆଜିର ଖେଳକୁ ରାଜ୍ୟ କ୍ରୀଡ଼ା ସାମ୍ବାଦିକ ସଂଘର ସମ୍ପାଦକ ତପନ ସ୍ୱାଇଁ ଓ ମାସିକ ପତ୍ରିକା ଦୂରଦର୍ଶୀର ସମ୍ପାଦକ ଦୁର୍ଗା ସାମନ୍ତରାୟ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଚେସ୍ ସଂଘର ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଭବେଶ ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଶୁଭାଶିଷ ପଟ୍ଟନାୟକ ପ୍ରଭୁତି ଉପସ୍ଥିତ ଥିଲେ।
