ମହାନଦୀ ଜଳ ବିବାଦ ମାମଲାର ସମାଧାନ ପ୍ରସଙ୍ଗଗଠନ ହେଲା ଉଚ୍ଚସ୍ତରୀୟ କମିଟି

Spread the love

ଭୁବନେଶ୍ୱର(ବ୍ୟୁରୋ) ମହାନଦୀ ଜଳ ବିବାଦ ମାମଲାର ସମାଧାନ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ୭ ଜଣିଆ ସର୍ବଦଳୀୟ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ କମିଟି ଗଠନ ହୋଇଛି। ଆସନ୍ତା ୨୦ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି ହେବ। ନୂଆ ଉଚ୍ଚସ୍ତରୀୟ କମିଟି ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷିତ କରି ପାରିବ କି? କମିଟିର କାର୍ଯ୍ୟ କଣ ହେବ ସେନେଇ ବିସ୍ତୃତ ଭାବରେ କାର୍ଯ୍ୟାଦେଶ ଆସି ନାହିଁ।ତଥାପି ଆଶା କରାଯାଉଛି, କମିଟି ଛତିଶଗଡ଼ ସହିତ ପୁନଃ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ କରିବ। ଓଡ଼ିଶାର ଆଇନଗତ, ବୈଷୟିକ ଏବଂ ଆଭିମୁଖ୍ୟକୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଆଗରେ ଦୃଢ଼ ଭାବେ ଉପସ୍ଥାପନ କରିବ। ରାଜ୍ୟର ଜଳ ସମ୍ପଦ ବିଶେଷଜ୍ଞଙ୍କଠାରୁ ତଥ୍ୟ ନେଇ ସୁବ୍ୟବସ୍ଥିତ ଢଙ୍ଗରେ ପ୍ରମାଣ ଉପସ୍ଥାପନ କରିବ। ଉପରମୁଣ୍ଡରେ ଛତିଶଗଡ଼ର ଅନେକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ସାରିଛି। କମିଟି ବର୍ତ୍ତମାନ ତାର ପ୍ରଭାବ ଉପରେ ମଧ୍ୟ ଅନୁଧ୍ୟାନ କରିବ। ହୀରାକୁଦ ଜଳଭଣ୍ଡାର କାର୍ଯ୍ୟ, ଜଳସେଚନ ଏବଂ ପାନୀୟ ଜଳ ଯୋଗାଣ, ବନ୍ୟା ନିୟନ୍ତ୍ରଣ କ୍ଷମତା, ମହାନଦୀ ଡେଲ୍ଟାର ସୁରକ୍ଷା ଆଦି ଉପରେ ଛତିଗଡ଼ ପ୍ରକଳ୍ପର ପ୍ରଭାବ କଣ ରହିବ ତାର ଅନୁଧ୍ୟାନ କରିବ କମିଟି। କମିଟିରେ ସବୁ ରାଜନୈତିକ ଦଳରୁ ସଦସ୍ୟ ଅଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ବରିଷ୍ଠ ବିଜେଡି ନେତା ନିରଞ୍ଜନ ପୂଜାରୀ ଏବଂ କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋଶ ସଦସ୍ୟ ଅଛନ୍ତି। ଯାହା ପ୍ରମାଣିତ କରୁଛି ଏହି ପ୍ରସଙ୍ଗ ଦଳଗତ ରାଜନୀତିଠାରୁ ଉର୍ଦ୍ଦ୍ୱରେ ରହୁଛି। ମହାନଦୀ ବିବାଦ ତୁଟାଇବାକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ମୁଣ୍ଡ ଉପରେ ଏବେ ଗୁରୁ ଦାୟିତ୍ୱ। କେ ଭି ଏଥିଲେ ସଫଳ ହୋଇ ପାରନ୍ତି କିମ୍ବା ବିଫଳ ମଧ୍ୟ ହୋଇ ପାରନ୍ତି। ସଫଳ ହେଲେ ବେଶ ପ୍ରଂଶସା ସାଉଁଟିବେ କେ ଭି ସିଂଦେଓ। ବିବାଦ ସମାଧାନ ନେଇ ଅଗ୍ରଗତି ହେଲେ ଏକ ନିର୍ଣ୍ଣାୟକ ନୀତି ନିର୍ଦ୍ଧାରକ ଭାବରେ ତାଙ୍କର ପ୍ରତିଷ୍ଠା ଯଥେଷ୍ଟ ବୃଦ୍ଧି ହେବ। କିନ୍ତୁ ଯଦି ପ୍ରୟାସ ବିଫଳ ହୁଏ, ତେବେ ପୁରୁଣା ବିବାଦର ଜଟିଳତା ଓ ଆଇନଗତ ବାଧାବିଘ୍ନ ସତ୍ୱେ କେଭିଙ୍କୁ ସମାଲୋଚନା ଶିକାର ହେବାକୁ ପଡିପାରେ।

Leave a Reply

Your email address will not be published. Required fields are marked *

error: Content is protected !!