ନୂଆଦିଲ୍ଳୀ: ୨୦୧୩ ମସିହାର ଏକ ଦୁଷ୍କର୍ମ ମାମଲାରେ ସାମ୍ବାଦିକ ତରୁଣ ତେଜପାଲଙ୍କୁ ମିଳିଥିବା ୧୦ ବର୍ଷର ଜେଲ୍ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତେଜପାଲଙ୍କ ଦଣ୍ଡାଦେଶ ସ୍ଥଗିତ ରଖିବା ପାଇଁ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିବା ସମୟରେ ବିଚାରପତି ଏମ୍. ଏମ୍. ସୁନ୍ଦରେଶ ଏବଂ ପ୍ରସନ୍ନ ବି. ଭରାଲେଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେଜପାଲ ଏବଂ ଗୋଆ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଓକିଲମାନଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ କହିଛନ୍ତି ଯେ, ସେମାନେ ଏହି ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ଇଚ୍ଛୁକ ନୁହଁନ୍ତି। ଗତ ଅଗଷ୍ଟ ୬ ତାରିଖରେ ବମ୍ବେ ହାଇକୋର୍ଟ ତେଜପାଲଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର କଠୋର କାରାଦଣ୍ଡାଦେଶ ଶୁଣାଇଥିଲେ। ଏହା ପୂର୍ବରୁ, ୫ ବର୍ଷ ତଳେ ତଳ କୋର୍ଟ (ଟ୍ରାଏଲ୍ କୋର୍ଟ) ତେହେଲକା ପତ୍ରିକାର ପୂର୍ବତନ ସମ୍ପାଦକ ତେଜପାଲଙ୍କୁ ଏହି ମାମଲାରୁ ଦୋଷମୁକ୍ତ କରିଥିଲେ, ଯାହାକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ୨୦୧୩ ମସିହାରେ ଗୋଆରେ ତେହେଲକା ପତ୍ରିକା ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ, ଏକ ହୋଟେଲର ଲିଫ୍ଟ ଭିତରେ ଜଣେ କନିଷ୍ଠ ସହକର୍ମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୬୨ ବର୍ଷୀୟ ଏହି ସାମ୍ବାଦିକ ଦାବି କରିଛନ୍ତି ଯେ ସେ ରାଜନୈତିକ ପ୍ରତିଶୋଧର ଶିକାର ହୋଇଛନ୍ତି। ଏହି ମାମଲାରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ତେଜପାଲ ଗତ ଅଗଷ୍ଟ ୨୦ ତାରିଖରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
