ଖପ୍ରାଖୋଲ: ଜେଲରୁ ଫେରିବାର କିଛି ସମୟ ମଧ୍ୟରେ ପୁଣି ଛୁରାମାଡ଼! ଆଇନର ଭୟ ନା ଜେଲ ଦଣ୍ଡର ପ୍ରଭାବ, କୌଣସିଟି ମଧ୍ୟ ଅଭିଯୁକ୍ତଙ୍କ ଉପରେ ପଡ଼ୁନଥିବା ଘଟଣା ଏବେ ଅଞ୍ଚଳରେ ଉଦ୍?ବେଗ ସୃଷ୍ଟି କରିଛି। ଖପ୍ରାଖୋଲ ଥାନା ଭାନପୁର ପଞ୍ଚାୟତ ଅନ୍ତର୍ଗତ ଝାକରପାଲି ଗ୍ରାମରେ ଜଣେ ଯୁବକଙ୍କୁ ପଛପଟୁ ଛୁରୀରେ ଆକ୍ରମଣ କରାଯାଇଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ତୁର୍ଲା ଗ୍ରାମର ସ୍ୱାଧୀନ ପଣ୍ଡା କୌଣସି କାମରେ ଝାକରପାଲି ଗ୍ରାମକୁ ଯାଇଥିଲେ। ସେଠାରେ ଠିଆ ହୋଇଥିବା ସମୟରେ ଝାକରପାଲି ଗ୍ରାମର ପ୍ରକାଶ ସିଂ ବରିହା ତାଙ୍କୁ ପଛପଟୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ସ୍ୱାଧୀନ ରକ୍ତାକ୍ତ ହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିଲେ। ଅନ୍ୟପକ୍ଷରେ ଖପ୍ରାଖୋଲ ପୋଲିସ ଅଭିଯୁକ୍ତ ପ୍ରକାଶଙ୍କୁ ଗିରଫ କରି ଥାନାରେ ଅଟକ ରଖିଥିବାବେଳେ ଏନେଇ ଥାନାରେ ଏକ ମାମଲା ୠଜୁକରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ପୋଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ପ୍ରକାଶ ପୂର୍ବରୁ ମଧ୍ୟ ଦୁଇଥର ଛୁରୀରେ ଆକ୍ରମଣ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି। ଗତ ଜୁନ୍? ୧୫ ତାରିଖରେ ଭାଲୁଡୁଙ୍ଗୁରି ଗ୍ରାମର ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରି ରକ୍ତାକ୍ତ କରିଥିବା ଅଭିଯୋଗରେ ସେ ଜେଲ ଯାଇଥିଲେ।ପ୍ରାୟ ପାଞ୍ଚ ମାସ ଜେଲରେ ରହିବା ପରେ ମଙ୍ଗଳବାର ଜାମିନରେ ମୁକୁଳିଥିବା ବେଳେ ପୁଣି ଏଭଳି ହିଂସାତ୍ମକ କାଣ୍ଡ ଘଟାଇଥିବା ଅଭିଯୋଗ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି।ବାରମ୍ବାର ଛୁରାମାଡ଼ ଭଳି ଗୁରୁତର ଅପରାଧରେ ଜଡ଼ିତ ହେବା ଘଟଣା ଅଭିଯୁକ୍ତଙ୍କ ଆଚରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏଭଳି ହିଂସାତ୍ମକ ମନୋଭାବକୁ ଜନସାଧାରଣ ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋରତମ କାର୍ଯ୍ୟାନୁଷ୍ଠାନ ଓ ଦୋଷ ପ୍ରମାଣିତ ହେଲେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦାବି କରିଛନ୍ତି। ଏଥିସହ ଆବଶ୍ୟକ ମନେ କଲେ ମନୋଚିକିତ୍ସକଙ୍କ ଦ୍ୱାରା ତାଙ୍କର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରାଇବାକୁ ମଧ୍ୟ ମତ ପ୍ରକାଶ ପାଇଛି। ଜେଲରୁ ମୁକୁଳିବା ପରେ ପୁଣି ରକ୍ତପାତର ଅଭିଯୋଗ ଏହା କେବଳ ଜଣେ ଯୁବକଙ୍କ ଉପରେ ଆକ୍ରମଣ ନୁହେଁ, ବରଂ ଅଞ୍ଚଳର ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଏକ ଗମ୍ଭୀର ଚେତାବନୀ।
