କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ପ୍ରବଳ କାଳବୈଶାଖୀ ଝଡ଼ ତୋଫାନ ଓ ବର୍ଷା ରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରଚଣ୍ଡ ପବନ ଓ ବର୍ଷା ଯୋଗୁଁ ଅନେକ ଘରର ଛାତ ଉଡ଼ି ଯାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡ଼ିଛି । ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ ଓ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଚାଷୀମାନଙ୍କ ଅମଳ ଧାନ ବର୍ଷାରେ ଭିଜି ନଷ୍ଟ ହୋଇଥିବାରୁ ସେମାନେ ଚିନ୍ତା ରେ ପଡିଛନ୍ତି ।ସୂଚନା ମୁତାବକ ଲଡୁ ଗାଁର ବେଣୁଧର ନାଏକଙ୍କ ଘରର ଛାତ, ଶୁକଲ ନାଏକଙ୍କ ଘରର କାନ୍ଥ, ରାଜେଶ ଦେବକରଣ ବାଗଙ୍କ ଘରର ଛାତ କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଲଡ଼ୁ ଗାଁ ଝୁଲନାଖୁଣ୍ଟା ଛକରୁବାରିକପଡା ଗଳି ରାସ୍ତା ମଧ୍ୟରେ ବଡ଼ ଗଛ ପଡ଼ି ଯିବାରୁ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇଛି।
ପ୍ରବଳ ପବନର ପ୍ରଭାବରେ ଘନାଗୁଡା ନିକଟସ୍ଥ ଟ୍ରାନ୍ସ ଫର୍ମରରୁ ଲଡ଼ୁଗାଁ ବନ୍ଧ ପଡାକୁ ସଂଯୋଗ କରୁଥିବା ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଥ?ିବା ବେଳେ ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ଯାଇଛି। ଫଳରେ ଅନେକ ଗ୍ରାମରେ ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି । ଅନ୍ୟପଟେ ଚିକିଲି – ଲଡୁ ଗାଁ ରାସ୍ତା କଡ୍ ରେ ରଖାଯାଇଥିବା ଚାଷୀମାନଙ୍କ ଅମଳ ଧାନ ବର୍ଷାରେ ଭିଜି ଯାଇଛି । କୋକସରା, ଚିଲି ଗୁଡା, ରେଙ୍ଗାଳପାଲି, ଓଲମା, ଝରିଆଗୁଡା ଆଦି ଅଞ୍ଚଳରେ ମଧ୍ୟ ଧାନ ଭିଜି କ୍ଷୟକ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅମଳ ସମୟରେ ଅପ୍ରତ୍ୟାଶିତ ବର୍ଷା ଚାଷୀଙ୍କ ପରିଶ୍ରମ ଉପରେ ପାଣି ଢାଳି ଦେଇଥିବାରୁ ସେମାନେ କ୍ଷତିପୂରଣ ଦାବି କରିଛନ୍ତି।ଝଡ଼ର ତୀବ୍ରତା ଯୋଗୁଁ ଅନେକ କଚ୍ଚା ଘରର ଛାତ ଉଡ଼ିଯାଇଥିବା ବେଳେକିଛି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଘଟଣାର ଖବର ପାଇବା ପରେ କୋକସରା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛ ଗୁଡ଼ିକୁ କାଟି ହଟାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ସେହି ପରି ବିଦ୍ୟୁତ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଖୁଣ୍ଟ ବିଦ୍ୟୁତ ତାରର ମରାମତି କାମ ଜାରି ରହିଛି।ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ଜନ ଜୀବନ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଉଛି । ତେବେ କ୍ଷୟକ୍ଷତିର ସଠିକ, ଆକଳନ କରି କ୍ଷତିଗ୍ରସ୍ତ ପରିବାର ଏବଂ ଚାଷୀମାନଙ୍କୁ ତୁରନ୍ତ ସହାୟତା ଓ କ୍ଷତି ପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।
