ନୂଆଦିଲ୍ଲୀ : ଗୁଜରାଟ ଟାଇଟନ୍ସକୁ ଦରକାର ଥିବା ବେଳେ ଅଧିନାୟକ ଶୁବମନ ଗିଲ ସାମ୍ନାରେ ରହି ଲଢ଼େଇ କଲେ। ସେ ଦମଦାର ବ୍ୟାଟିଂ ସହ ଶତକ ହାସଲ କରି ନିଜ ଦଳ ଗୁଜରାଟକୁ ଆଇପିଏଲ ୨୦୨୬ର ଫାଇନାଲ ଟିକେଟ ଦେଇଛନ୍ତି। ଶୁକ୍ରବାର ଆଇପିଏଲ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟରରେ ରାଜସ୍ଥାନ ରୟାଲ୍ସକୁ ଗୁଜରାଟ ୭ ୱିକେଟରେ ହରାଇ ଦେଇଛି। ଆଉ ଏହି ମ୍ୟାଚ୍ରେ ଶତକୀୟ ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି କ୍ୟାପ୍େଟନ ଗିଲ୍। ଗୋଟିଏ ବିଶାଳ ଟାର୍ଗେଟକୁ ନକଆଉଟ ମ୍ୟାଚ୍ରେ ଗୁଜରାଟ ଚେଜ କରୁଥିଲା। ଏତିକି ବେଳେ ଗିଲ ମାତ୍ର ୪୭ ବଲରେ ଶତକ ମାରି ପୂରା ମ୍ୟାଚ୍କୁ ଏକତରଫା କରି ଦେଇଛନ୍ତି। ଏହା ତାଙ୍କ ଆଇପିଏଲ କ୍ୟାରିୟରର ୫ମ ଶତକ। ଏହି ସେଞ୍ଚୁରୀ ପରେ ସେ ସଞ୍ଜୁ ସାମସନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ସେହିପରି ଗୁଜରାଟ ପାଇଁ ସେ ଦ୍ରୁତତମ ଶତକଧାରୀ ମଧ୍ୟ ହୋଇ ଯାଇଛନ୍ତି। ଆଇପିଏଲ ପ୍ଲେ ଅଫରେ ଏହି ଶତକ ମଧ୍ୟ ଗୋଟିଏ ରେକର୍ଡ। ଗିଲ ପ୍ରଥମ ଅଧିନାୟକ ଭାବେ ଆଇପିଏଲର କୌଣସି ନକଆଉଟରେଶତକ ମାରିବାର କୀର୍ତ୍ତିମାନ ହାସଲ କରିଛନ୍ତି। ପୂର୍ବରୁ ସେ ୨୦୨୩ ଆଇପିଏଲ କ୍ୱାଲିଫାୟର ୨ରେ ୧୨୯ ରନର ଇନିଂସ ଖେଳିଥିଲେ। ସେହି ମ୍ୟାଚ୍ରେ ସେ ୪୯ଟି ବଲରେ ଶତକ ମାରିଥିଲେ। କିନ୍ତୁ ରାଜସ୍ଥାନ ବିପକ୍ଷ ଶୁକ୍ରବାର ମ୍ୟାଚ୍ରେ ମାତ୍ର ୪୭ଟି ବଲରୁ ତାଙ୍କ ବ୍ୟାଟରୁ ବାହାରିଛି ଶତକ। ନିଜ ଜନ୍ମ ସ୍ଥାନର ଉପକଣ୍ଠ ଅର୍ଥାତ ମୁଲ୍ଲାନପୁରେ ଶୁକ୍ରବାର ଖେଳୁଥିବା ଗିଲ ଆରମ୍ଭରୁ ଶେଷ ଯାଏ ପୂରା ଇନିଂସକୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ସେ ରବୀନ୍ଦ୍ର ଜାଡେଜଙ୍କୁ ଚୌକା ମାରି ନିଜର ଶତକ ହାସଲ କରିବା ସହ ଗୁଜରାଟର ରେକର୍ଡ ବିଜୟକୁ ମଧ୍ୟ ନିଶ୍ଚିତକରିଥିଲେ। ଏଥିସହ ଆଇପିଏଲର ପ୍ଲେ ଅଫରେ ଦୁଇ ଥର ଶତକୀୟ ଇନିଂସ ଖେଳିଥିବା ପ୍ରଥମ ଖେଳାଳି ମଧ୍ୟ ଗିଲ ବନି ଯାଇଛନ୍ତି। କ୍ୟାପଟେନ ଭାବେ ଏହା ଗିଲଙ୍କ ଦ୍ୱିତୀୟ ଶତକ। ଏହି ତାଲିକାର ପ୍ରଥମ ସ୍ଥାନରେ ବିରାଟ କୋହଲି(୫) ଓ କେଏଲ ରାହୁଲ(୩) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଆଇପିଏଲରେ ସର୍ବାଧିକ ଶତକ ହାସଲ କରିବା ମାମଲାରେ ସେ ସାମସନଙ୍କ ସମକକ୍ଷ ହୋଇଛନ୍ତି। ସାମସନ ଆଇପିଏଲ କ୍ୟାରିୟରରେ ଏଯାଏ ୫ଟି ଶତକ ମାରିଛନ୍ତି। ଗିଲଙ୍କ ଆଇପିଏଲ ଶତକ ସଂଖ୍ୟା ମଧ୍ୟ ୫ରେ ପହଞ୍ଚି ଯାଇଛି। ସର୍ବାଧିକ ଆଇପିଏଲ ଶତକ ତାଲିକାରେ ମଧ୍ୟ ବିରାଟ(୯) ଏକ ନମ୍ବରରେ ରହିଛନ୍ତି। ତାଙ୍କ ପଛରୁ ଜୋଶ ବଟଲର(୭), କ୍ରିସ ଗେଲ୍(୬), କେଏଲ ରାହୁଲ(୬) ଅଛନ୍ତି। ଶୁକ୍ରବାର ମ୍ୟାଚ୍ ଜିତିବା ପାଇଁ ଗୁଜରାଟକୁ ନିଜ ଇତିହାସର ସବୁଠାରୁ ରନ ଚେଜକୁ ପୂରଣ କରିବାର ଥିଲା। କାରଣ ଆଇପିଏଲ ଇତିହାସରେ ଗୁଜରାଟ କେବେ ବି ୨୦୦ରୁ ଅଧିକ ରନ ଚେଜ କରି ଜିତି ନଥିଲା। ଏପରି ସ୍ଥିତିରେ ରାଜସ୍ଥାନ ଦେଇଥିବା ୨୧୫ ରନର ଟାର୍ଗେଟ ଚ୍ୟାଲେଞ୍ଜିଂ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଗୁଜରାଟର ଦୁଇ ଓପନର ଶୁବମନ ଗିଲ ଓ ସାଈ ସୁଦର୍ଶନ ଏହାକୁ ବେଶ ସହଜ କରି ଦେଇଥିଲେ। ପ୍ରଥମ ଓଭରରେ ଉଭୟ ଜୋଫ୍ରା ଆର୍ଚରଙ୍କ ଓଭରରୁ ୧୯ ରନ ଆଦାୟ କରିଥିଲେ। ଏହାପରେ ପାୱାର ପ୍ଲେରେ ବିନା କୌଣସି କ୍ଷତିରେ ସେମାନେ ୬୯ ରନ ଯୋଡ଼ିଥିଲେ। ପାୱାର ପ୍ଲେର ପରବର୍ତ୍ତୀ ଓଭରରେ ଉଭୟ ଆଉ ୨୨ ରନ ଯୋଡ଼ିଥିଲେ। ୮ ଓଭର ଶେଷ ସୁଦ୍ଧା ଦଳୀୟ ସ୍କୋର ବିନା ୱିକେଟରେ ୯୧ରେ ପହଞ୍ଚି ଯାଇଥିଲା। ଗିଲ ପ୍ରଥମେ ୩୦ ବଲରେ ନିଜର ଅର୍ଦ୍ଧଶିକ ହାସଲ କରିଥିଲେ। ସୁଦର୍ଶନ ମଧ୍ୟ ୨୬ ବଲରେ ୫୦ ରନ ପୂରଣ କରିଥିଲେ। ଏଥିସହ ଚଳିତ ଆଇପିଏଲରେ ୭୦୦ ରନ ପୂରଣ କରିଥିଲେ। ପ୍ରଥମ ୱିକେଟ ପାଇଁ ୧୬୭ ରନ ଯୋଡ଼ି ଗିଲ ଓ ସୁଦର୍ଶନ ରାଜସ୍ଥାନ ହାତରୁ ମ୍ୟାଚ ଛଡ଼ାଇ ନେଇଥିଲେ। ପ୍ଲେ ଅଫରେ ଏହା ସର୍ବଶ୍ରେଷ୍ଠ ଭାଗିଦାରୀ। ଏହାପୂର୍ବରୁ ୨୦୧୧ ଆଇପିଏଲ ଫାଇନାଲରେ ମାଇକେଲ ହସି ଓ ମୁରଲୀ ବିଜୟ ୧୫୯ ରନର ଭାଗିଦାରୀ କରିଥିଲେ।
