ପୁରୀ: ରଥଖଳାରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି । ରବିବାର ରଥ ନିର୍ମାଣର ୪୧ ତମ ଦିବସରେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତିନିରଥରେ ମୁହାଁଟ ସଂଯୋଗ ପରେ ଆଗ,ପଛ ନିରାଡ଼ି ଉଠି ପାର୍ଶ୍ୱ ଦାଣ୍ଡରେ କୁଡୁକା ଲାଗି ହୋଇ ପାର୍ଶ୍ୱ ନିରାଡ଼ି ପଡ଼ି , ଆଗ,ପଛ ମୁହାଁଟ ରେ ଗୁଜ , ଯାଳଯନ୍ତ୍ର ଲାଗି ଚେଚିସ୍ ବା ଦଣ୍ଡା ଫ୍ରେମ୍ ନିର୍ମାଣ ଶେଷ ହୋଇଥିଲା । ଆଜି ତିନିରଥର ମୁଖ୍ୟ ମହାରଣା ମାନଙ୍କ ତତ୍ତ୍ୱାବଧାନରେ ଦଣ୍ଡା ଫ୍ରେମ୍ ର ବିଭିନ୍ନ ଅଂଶ ଗୁଡ଼ିକର ନମ୍ୱରିଂ ହୋଇ କଳସା ପାଇଁ ମାପ ଚିହ୍ନ ଗାରିଆ ଶେଷ ହୋଇଛି । ଆସନ୍ତାକାଲି ଦଣ୍ଡା ଫ୍ରେମ୍ ଖୋଲା ଯାଇ ଦଣ୍ଡା ଫ୍ରେମରେ ଲାଗି ଥିବା ଅଂଶ ଗୁଡ଼ିକର କାପ ,କଳଶା ଏବଂ ବାକି ବିନ୍ଦାକାର୍ଯ୍ୟ ପରେ ଦଣ୍ଡା ଫେମ୍ ସାଇତା କାର୍ଯ୍ୟ ହେବ।
ଏଥିସହ ତିନିରଥର ୧୨ ଲେଖାଏଁ ପୋଲ ଗୟଳ ରୁ ଦୁଇଟି ଲେଖାଏଁ ବଡ଼ ପୋଲ ଗୟଳ କରତୀ ସେବକ ଚିରଟ କରି ଚଉପଟ ପାଇଁ ରଥ ଚାଳି କୁ ଯୋଗାଇ ଥିଲେ, ବାକି ପାଲ ଗୟଳ ଗୁଡ଼ିକ ମଧ୍ୟରୁ ଆଜି ଦୁଇଟି ଲେଖାଏଁ ପୋଲ ଗୟଳ ର ଚଉପଟ କାର୍ଯ୍ୟ ତିନିରଥର ମହାରଣା ସେବକ ମାନେ ଆରମ୍ଭ କରିଛନ୍ତି।

ରୂପକାର ସେବକ ମାନେ ତିନିରଥର ୩୩ ଟି ସାଲ ଗୁଜ ଏବଂ ୮ ଟି ଲେଖାଏଁ ତୀଖ ଗୁଜ ରେ ସିଂହ ବିରଳ ରୂପ ଖୋଦେଇ ଶେଷ ପରେ ତିନିରଥର ବେଦୀ ସିଂହାସନ ମୁହାଁଟରେ କୁମ୍ଭ, ମତ୍ସ୍ୟ,ଡାଳି ଲତା ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି। ଆଜି ମହାରଣା ସେବକ ମାନେ ତିନିରଥର ୮ ଟି ଲେଖାଇଁ ନାଟ ଗୋଡ଼ ପଟାରେ ମୁଖ ସାଲ ଶେଷ କରି ରୂପ ଖୋଦେଇ ପାଇଁ ରୂପକାର ସେବକଙ୍କୁ ଯୋଗାଇ ଦେଇଛନ୍ତି।କରତୀ ସେବକ ମାନେ ଚିତା କାର୍ଯ୍ୟ ପରେ ଦେବଦଳନ ରଥର ୪୦ ଫୁଟିଆ ପୋଲ ଗୟଳ ର ଚିରଟ କାର୍ଯ୍ୟ ଶେଷ କରିଛନ୍ତି ।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥ ର ଦଣ୍ଡା କଣ୍ଟା, ଗୟଳ କଣ୍ଟା ଶେଷ କରି ତିନିରଥ ର ପୋଟଳ ପାଇଁ ଜଙ୍ଘାକଣ୍ଟା ଏବଂ ପୋଟଳ ବାଗିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ତଥା ରଥ ଯାତ୍ରାରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ଯଥା ଅବକାଶ ଖଟୁଲି, ଠାକୁରଙ୍କ ରୁନ୍ଧା କାର୍ଯ୍ୟ ପାଇଁ ଅଞ୍ଜନା ଖୁଣ୍ଟି, ବେଶ ଘୋଡିଆ, ପାଟ ଡୋରି ବୋଳିବା ପାଇଁ କାଠି ନିର୍ମାଣ ଜାରୀ ରଖିଛନ୍ତି।
