ପୁରୀ,: ଜୁଲାଇ ୧୬ ରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା । ମହାପ୍ରଭୁ ରତ୍ନସିଂହାସନ ଛାଡି ଭକ୍ତଙ୍କ ଗହଣରେ ରଥରେ ବିରାଜମାନ କରି ଘର ଘର ନାଦସହ ଜନ୍ମ ପୀଠକୁ ବିଜେ କରିବେ । ଯେଉଁ ରଥରେ ପ୍ରଭୁ ବିଜେ କରିବେ ସେହି ତିନିରଥ ନିର୍ମାଣ ଚାଲିଛି । ରଥଖଳାରେ ବଡବାଡ ତାଳଧ୍ୱଜ ରଥ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ନିର୍ମାଣ ଚାଲିଛି । ଚକ ନିର୍ମାଣ ସହ କଣ୍ଟା ନିର୍ମାଣ କାର୍ଯ୍ଯ ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଚାଲିଛି । ୭୦ ପ୍ରକାର କଣ୍ଟା ରଥରେ ଲଗାଯାଉଛି । ଏଥିପାଇଁ ନୂଆ ଲୁହାଛଡ କଟାଯାଇ କଣ୍ଟା ନିର୍ମାଣ ଚାଲିଛି । ହୁତୁହୁତୁ ହୋଇ ଜଳୁଛି କମାରଶାଳର ଭାତି । ଲୁହା ରେଲିଂ ଖଣ୍ଡ ଉପରେ ଗରମ କଣ୍ଟାକୁ ହାମରରେ ବାଡେଇ ସାଇଜ କରାଯାଉଛି ।ବଳଭଦ୍ରଙ୍କ ବାଡ କମାରଶାଳ ଚାଳିରେ ମୁଖ୍ଯ ଓଝା ସେବକ ଜଗନ୍ନାଥ ମହାରଣାଙ୍କ ସହ ୭ ଜଣ ଓଝା ସେବକ କାର୍ଯ୍ଯ କରୁଛନ୍ତି ।

ଶ୍ରୀଜଗନ୍ନାଥଙ୍କ ବାଡରେ ଦାଶରଥି ମହାରଣାଙ୍କ ସହ ୭ ଜଣ ଓଝା ସେବକ ଓ ମା ସୁଭଦ୍ରାଙ୍କ ବାଡରେ କେଦାର ମହାରଣାଙ୍କ ସହ ୬ ଜଣ ଓଝା ସେବକ ନିଷ୍ଠାର ସହ କାର୍ଯ୍ଯରତ ଅଛନ୍ତି । ସବୁଠାରୁ ବଡକଣ୍ଟା ସାଢେ ୪ ଫୁଟ ର ଜଂଘା କଣ୍ଟା ୧୩ ପରସ୍ତ ପୋଟଳ ଉପରେ ବାଡିଆ ଯିବ । ୭୦ ପ୍ରକାର କଣ୍ଟା ମଧ୍ଯରୁ ଧୋଜବତା କଣ୍ଟା, ଗୟଳକଣ୍ଟା, ଚଣାକ, ଜଗତକୃଷ୍ଣ ଶ୍ରେଣୀ, ସିଂହାସନ ଗୁଣ୍ଠି କଣ୍ଟା, ଚାର ପରିଛା,ଚାରପରିଛା ଗୁଣ୍ଠି, ପତରା, କଇଁଚି କଣ୍ଟା, ଶିବ ଡମ୍ବରୁ, ଘଡି ମୁହଁ ବିଡିଆ ( ଦଣ୍ଡା କଣ୍ଟା) ଓ କନକମୁଣ୍ଡି କଣ୍ଟା ଆଦି ନିର୍ମାଣ କରାଯାଉଛି । ରଥ ଫିଟଙ୍ଗ ହେବା ପରେ ଯେଉଁଠାରେ ଚଡକ ଫାଟ ଦେଖା ଯିବ ସେଠାରେ ସ୍ୱତନ୍ତ୍ର କ୍ଲାମ୍ପ ନିର୍ମାଣ କରାଯାଇ ପୂର୍ତ୍ତ ବିଭାଗ ଇଂଜିନିୟରଙ୍କ ନିର୍ଦ୍ଦେଶରେ କ୍ଲାମ୍ପ ବାଡିଆ ଯିବ । ଓଝା ସେବକ ମାନେ ମହାପ୍ରଭୁଙ୍କ କାର୍ଯ୍ଯ ପାଇଁ ହବିଷ ପାଳନ କରି ନିଷ୍ଠା ଓ ଭକ୍ତିର ସହ କାର୍ଯ୍ଯ କରୁଛନ୍ତି ।
