କଟକ: ଆଜି ପବିତ୍ର ‘ଇଦ୍ ଉଲ୍ ଜୁହା’ ବା ‘ବକ୍ରି ଇଦ୍’ । ଇସଲାମ ଧର୍ମରେ ‘ଇଦ୍ ଉଲ୍ ଜୁହା’ ହେଉଛି ତ୍ୟାଗ ଓ ସମର୍ପଣର ପର୍ବ । କଟକ ସହରରେ ଥିବା ସମସ୍ତ ମସଜିଦ ଯଥା:- କଦମ୍ ଏ ରସୁଲ୍, ଛୋଟି ମସଜିଦ ଓ ଇଦଗାହରେ ‘ଇଦ୍ ଉଲ୍ ଜୁହା’ ପାଇଁ ସମୁହ ନମାଜ ପାଠ କରାଯାଇଛି । ଏହି ପର୍ବରେ ନ୍ୟାୟ ଓ ଧର୍ମ ପାଇଁ ନିଜର ସବୁ କିଛି ତ୍ୟାଗ କରିବା ପାଇଁ ସଙ୍କଳ୍ପ ନେଇଥାଆନ୍ତି ମୁସଲିମ ଭାଇ,ଭଉଣୀ ମାନେ ।ଏହି ଅବସରରେ ଆଜି ଭାଇଚାରାର ସହର କଟକରେ ବିଭିନ୍ନ ମସଜିଦ ଗୁଡ଼ିକରେ ବିଶ୍ବ ଶାନ୍ତି ପାଇଁ ଶାନ୍ତି ଶୃଙ୍ଖଳାର ସହ ସମୁହିକ ନମାଜ ପାଠ କରାଯାଇଛି । ତ୍ୟାଗ ଓ ସମର୍ପଣର ଏହି ପର୍ବକୁ ପାଳନ କରିବା ପାଇଁ ଭାଇଚାରାର ସହର କଟକ ସହରରେ ଥିବା ସମସ୍ତ ଛୋଟ ବଡ଼ ମସଜିଦରେ ନମାଜ ପାଠ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବିଶେଷ କରି କଦମ-ଏ-ରସୁଲ ଓ ଇଦଘା ପଡ଼ିଆରେ ଇଦର ନମାଜ ପାଠ ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା । ଇଦଘା ପଡ଼ିଆରେ ଶେଷ ନମାଜ ପାଠ ହେଉଥିବାରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସେଠାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଆଜି ପ୍ରାୟ ୭ ହଜାର ମୁସଲିମ ଭାଇମାନେ ଏଠାରେ ପ୍ରାର୍ଥନା କରିଥିଲେ । ଏପରିକି ଅନେକ ରାସ୍ତାରେ ବସି ମଧ୍ୟ ନମାଜ ପାଠ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି କେବଳ ମୁସଲିମ ନୁହେଁ ବରଂ ବିଭିନ୍ନ ଧର୍ମର ଲୋକମାନେ ଏହି ପର୍ବରେ ସାମିଲ ହୋଇଥିଲେ । କିଛି ହିନ୍ଦୁମାନେ ମସଜିଦ ଆଗରେ ଲସି ସର୍ବତ ଆଦି ବାଣ୍ଟୁଥିଲେ । ଏହି ଭାଇଚାରା ପରମ୍ପରା କେବଳ କଟକରେ ହିଁ ଦେଖିବାକୁ ମିଳିଥାଏ । ହିନ୍ଦୁମାନେ ମୁସଲିମ ଶ୍ରଦ୍ଧାଳୁମାନଙ୍କୁ ସର୍ବତ ଦେଇଥିଲେ । ସେମାନେ ମଧ୍ୟ ହିନ୍ଦୁମାନଙ୍କ ହାତରୁ ବେଶ ଖୁସିର ସହ ସର୍ବତ ପିଇଥିଲେ । ତେବେ କଟକ ସବୁବେଳେ ଭାଇଚାରାର ଉଦାହରଣ ସୃଷ୍ଟି କରିଥାଏ ବୋଲି ଇଦଘା ପରିଚାଳନା କମିଟିର ମୁଖ୍ୟ ଉପଦେଷ୍ଟା ରାମଜାନ ଖାନ୍ କହିଛନ୍ତି । ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ କମିଶନେଟ ପୋଲିସ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଥିଲା । ଏହି ଅବସରରେ ଟ୍ରାଫିକ ନିୟନ୍ତ୍ରଣ ତଥା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ବାଇକ୍ ପାଟ୍ରୋଲିଂ ମଧ୍ୟ କଡ଼ାକଡ଼ି କରାଯାଇଛି । ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ପୋଲିସ କଡ଼ା ନଜର ରଖିଥିବା କହିଛନ୍ତି କଟକ ଡିସିପି ଋଷିକେଶ ଡି ଖିଲାରୀ ।
