ନ୍ୟୁ ଚଣ୍ଡିଗଡ଼: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ଦମଦାର ପ୍ରଦର୍ଶନ କରିଛି। ଉଭୟ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ସଫଳ ରଣନୀତି ପ୍ରସ୍ତୁତ କରି ସନରାଇଜର୍ସ ହାଇଦ୍ରାବାଦକୁ ରାଜସ୍ଥାନ ପରାସ୍ତ କରିଛି। ଏହି ବିଜୟ ହାସଲ ସହିତ ରାଜସ୍ଥାନ କ୍ୱାଲିଫାୟର-୨ ପାଇଁ ଯୋଗ୍ୟତା ଅର୍ଜନ କରିଛି। ମେ ୨୯ରେ ନ୍ୟୁ ଚଣ୍ଡିଗଡ଼ରେ ଗୁଜରାଟ ଟାଇଟନ୍ସକୁ ରାଜସ୍ଥାନ ଭେଟିବ। ମେ ୩୧ର ବିଜୟୀ ଦଳ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ହାଇଦ୍ରାବାଦ ୨୪୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂକରିଥିଲା। କିନ୍ତୁ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ଦଳ ୫୭ ରନ୍ରେ ଆଗଧାଡ଼ିର ୪ଜଣ ବିସ୍ଫୋରକ ବ୍ୟାଟରଙ୍କୁ ହରାଇଥିଲା। ଅଭିଷେକ ଶର୍ମା ଖାତା ଖୋଲିପାରି ନଥିଲେ। ଈଶାନ କିଶନ ୩୩ ରନ୍ କରିଥିଲେ। ସେ ୧୧ଟି ବଲ୍ ଖେଳି ୩ଟି ଚୌକା ଏବଂ ୩ଟି ଛକା ମାରି ଦଳକୁ ଆଶାର ଆଲୋକ ଦେଖାଉଥିବା ବେଳେ ଆଉଟ୍ ହୋଇଥିଲେ। ସମରନ ରବିଚନ୍ଦ୍ରନ ମାତ୍ର ୧ ରନ୍ କରିଥିଲା ବେଳେ ଟ୍ରାଭିସ ହେଡ୍ ୧୭ ରନ୍ କରି ପାଭିଲିଅନ ଫେରି ଆସିଥିଲେ। ହାଇଦ୍ରାବାଦ ୧୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୬ ରନ୍ କରିପାରିଛି। ଫଳରେ ରାଜସ୍ଥାନ ଠାରୁ ୪୭ ରନ୍ରେ ପରାସ୍ତ ହୋଇଛି। ସେହିପରି ହେନରିକ୍ କ୍ଲାସେଁ (୧୮), ନୀତିଶ କୁମାରରେଡ୍ଡୀ (୩୮) ଏବଂ ଅଧିନାୟକ ପେଟ୍ କମିନ୍ସ (୧) ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ। ଆଖି ଆଗରେ ବିଶାଳ ସ୍କୋର ଲକ୍ଷ୍ୟ ଥିବା ବେଳେ ହାଇଦ୍ରାବାଦର କୌଣସି ବ୍ୟାଟର କ୍ରିଜରେ ବେଶୀ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ। ଆଜି ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାଁପୁରସ୍ଥିତ ମହାରାଜା ୟଦବିନ୍ଦର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଟସ୍ ଜିଣି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ରାଜସ୍ଥାନ ବ୍ୟାଟିଂ କରିବାକୁ ପଡ଼ିଆରେ ଓହ୍ଲାଇଥିଲା। ରିୟାନ ପରାଗଙ୍କ ନେତୃତ୍ୱରେ ତଥା ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୨୪୩ ରନ୍ ସଂଗ୍ରହ କରିଥିଲା।ରାଜସ୍ଥାନ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂରେ ଆଜି ଧମାକା କରିଛନ୍ତି। ବୈଭବ ଆଇପିଏଲ୍ ଇତିହାସରେ ଗୋଟିଏ ସଂସ୍କରଣରେ ସର୍ବାଧିକ ଛକା ମାରିଥିବା ବ୍ୟାଟରଙ୍କ ତାଲିକାର ଶୀର୍ଷରେ ସ୍ଥାନ ପାଇଛନ୍ତି। ଆଜି ସେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବୈଭବ ୨୯ଟି ବଲ୍ ଖେଳି ୯୭ ରନ୍ ସଂଗ୍ରହ କରିଛନ୍ତି। ଏଥିରୁ ୯୨ ରନ୍ କେବଳ ବାଉଣ୍ଡ୍ରିରୁ ଆସିଛି। ସେ ୫ଟି ଚୌକା ଏବଂ ୧୨ଟି ଛକା ମାରିଛନ୍ତି। ୩୩୪.୪୮ ଷ୍ଟ୍ରାଇକ୍ ରେଟ୍ରେ ସେ ଯେତେବେଳେ ବ୍ୟାଟିଂ କରିଥିଲେ, ନ୍ୟୁଚଣ୍ଡିଗଡ଼ରସ୍ଥିତ ମହାରାଜା ୟଦବିନ୍ଦର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ ଉଛୁଳି ପଡୁଥିଲା। ବୈଭବ ପ୍ରଫୁଲ୍ଲ ହିଙ୍ଗେଙ୍କ ବଲ୍ ସ୍ମରଣ ରବିଚନ୍ଦ୍ରନଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ରାଜସ୍ଥାନ ପାଇଁ ଯଶସ୍ୱୀୟସ୍ୱାଲ ଏବଂ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ପ୍ରାରମ୍ଭିକ ପ୍ରଥମ ୱିକେଟ୍ ପାଇଁ ୮ ଓଭରରେ ୧୨୫ ରନ୍ ସଂଗ୍ରହ କରିଥିଲେ। ଏଥିରୁ ବୈଭବ ୯୭ ରନ୍ କରିଥିଲେ। ହାଇଦ୍ରାବାଦର ଦ୍ୱିତୀୟ ଶିକାର ହୋଇଥିଲେ ଜୟସ୍ୱାଲ। ସେ ବ୍ୟକ୍ତିଗତ ସ୍କୋର ୨୯ ରନ୍ ଥିଲା। ସେ ୨୯ଟି ବଲ୍ ଖେଳି ୪ଟି ଚୌକା ମାରିଥିଲେ। ସେହି ସମୟରେ ଦଳର ସ୍କୋର ୧୩୭ ରନ୍ ଥିଲା। ସେହିପରି ତୃତୀୟ ୱିକେଟ୍ ବେଳକୁ ହାଇଦ୍ରାବାଦ ୧୯୨ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ଧ୍ରୁବ ଜୁରେଲ ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ୨୧ଟି ବଲ୍ ଖେଳି ୫ଟି ଚୌକା ,ବଂ ୩ଟି ଛକା ବଳରେ ୫୦ ରନ୍ କରିଥିଲେ। ହାଇଦ୍ରାବାଦର ଚତୁର୍ଥ ଶିକାର ହୋଇଥିଲେ ଅଧିନାୟକ ରିୟାନ ପରାଗ। ସ୍କୋର ୨୦୭ ରନ୍ ଥିଲା ବେଳେ ସେ ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ୧୨ଟି ବଲ୍ ଖେଳି ୨ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ରାଜସ୍ଥାନ ପଞ୍ଚମ ୱିକେଟ୍ ଭାବେ ଦାସୁନ ଶନକା (୫ରନ୍)ଙ୍କୁ ହରାଇଥିଲା। ଜୋଫ୍ରା ଆର୍ଚ୍ଚର ୪ ରନ୍ କରିଥିଲେ। ନାନ୍ଦ୍ରେ ବର୍ଗର ୧ ରନ୍ଏ ରବୀନ୍ଦ୍ର ଜାଡେଜା ଅପରାଜିତ ୧୨ ରନ୍ ଏବଂ ସୁଶାନ୍ତ ମିଶ୍ରା ଅପରାଜିତ ୧ ରନ୍ କରିଥିଲେ। ହାଇଦ୍ରାବାଦ ପାଇଁ ପ୍ରଫୁଲ୍ଲ ହିଙ୍ଗେ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ଈଶାନ ମାଲିଙ୍ଗା, ଶିବାଙ୍ଗ କୁମାର ଏବଂ ନିତିଶ କୁମାର ରେଡ୍ଡୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
