ପୁରୀ: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ପାଣିରେ ବୁଡ଼ି ଜଣେ ବିଟେକ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଉଛନ୍ତି ଭୁବନେଶ୍ୱର ଇନ୍େଫାସିଟି ଥାନା ଅଞ୍ଚଳର ଶିବ ଆଦିତ୍ୟ ଆଶୀର୍ବାଦ। ପୁଲିସ ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ଶିବ ସ୍କୁଟର ଯୋଗେ ପୁରୀ ଆସିଥିଲେ। ଷ୍ଟାଲିନ ଛକ ନିକଟରେ ସ୍କୁଟର ରଖି ସେ ସମୁଦ୍ରରେ ସ୍ନାନ କରିବାକୁ ଯାଇଥିଲେ। ସ୍ନାନ କରୁଥିବା ସମୟରେ ସେ ସମୁଦ୍ର ଲହଡ଼ିରେ ଭାସିଯାଇଥିବା ଜଣାପଡ଼ିଛି। କିଛି ସମୟ ପରେ ଷ୍ଟାଲିନ ଛକ ବେଳାଭୂମିରେ ଶିବଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବଳିଆପଣ୍ଡା ଥାନା ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ ଗୃହକୁ ପଠାଯାଇଥିଲା। ଅନ୍ୟପକ୍ଷରେ, ଘଟଣାସ୍ଥଳ ନିକଟରେ ଥିବା ସ୍କୁଟରର ନମ୍ବର ଯାଞ୍ଚ କରି ପୁଲିସ ମୃତ ଛାତ୍ରଙ୍କ ପରିଚୟ ଜାଣିବା ସହ ତାଙ୍କ ପରିବାରକୁ ସୂଚନା ଦେଇଥିଲା। ଖବର ପାଇ ଶିବଙ୍କ ବାପା ଡାକ୍ତରଖାନାରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାକୁ ନେଇ ବଳିଆପଣ୍ଡା ଥାନା ପୁଲିସ ପକ୍ଷରୁ ଆବଶ୍ୟକ ତଦନ୍ତ କରାଯାଉଛି।
