ଭଞ୍ଜନଗର: ଦଶହରା ଏବଂ କୁମାର ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲାରେ ଜୁଆ ଖେଳ ବୃଦ୍ଧି ପାଉଥିବା ବେଳେ ଚୋରି, ବନ୍ୟପ୍ରାଣୀ ଶିକାର ଏବଂ ବେଆଇନ ଗଞ୍ଜେଇ କାରବାର ମଧ୍ୟ ଚିନ୍ତାର କାରଣ ପାଲଟିଛି। ଜୁଆ ଖେଳ ଧରିବାକୁ ପୁଲିସ ବ୍ୟସ୍ତ ରହୁଥିବା ବେଳେ ଏହାର ସୁଯୋଗ ନେଇ ଗଞ୍ଜେଇ ମାଫିଆ ମାନେ ଏହାର ଚୋରା ଚାଲାଣ କରିବାକୁ ଭରପୁର ପ୍ରୟାସ କରିଥିବା ବେଳେ ଭଞ୍ଜନଗର ପୁଲିସ ର ତୀକ୍ଷ୍ଣ ନଜର ରୁ କିନ୍ତୁ ଖସି ପାରିନାହାନ୍ତି। ସ୍ଥାନୀୟ ପୁଲିସ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ରବିବାର ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲାର ସମନ ପ୍ରଧାନ ଓ ଉଧେଶ୍ୱର ପ୍ରଧାନ। ପୁଲିସ ସେମାନଙ୍କଠାରୁ ୫୧ କେଜି ଗଞ୍ଜେଇ ସହ ଦୁଇଟି ବାଇକ୍ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ମୁତାବକ, ରବିବାର ଏସ୍?ଆଇ ଲକ୍ଷ୍ମୀଧର ମହାନ୍ତି ଡହ ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ପରେ ସେମାନଙ୍କଠାରୁ ଗଞ୍ଜେଇ ଓ ଦୁଇଟି ବାଇକ ଜବତ କରାଯାଇଥିଲା। ବାରମ୍ବାର ଏଭଳି ଘଟଣା ପରେ ଉକ୍ତ ଅଞ୍ଚଳରେ ବେଆଇନ ଗଞ୍ଜେଇ କାରବାର ରୋକିବା ପାଇଁ ପୁଲିସର ତଦାରଖ ଓ ପାଟ୍ରୋଲିଂ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।
