ନୂଆଦିଲ୍ଲୀ: ୨୦୧୮ ମସିହାରେ ଏକ ଜନସଭାରେ ସେତେବେଳର ବିଜେପି ସଭାପତି ତଥା ବର୍ତ୍ତମାନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଏର ହୋଇଥିବା ମାନହାନି ମାମଲାରୁ ତାଙ୍କୁ ଦୋଷମୁକ୍ତ କରାଯାଇଛି। ଉତ୍ତରପ୍ରଦେଶର ସୁଲତାନପୁର ସ୍ଥିତ ଏକ ଅଦାଲତ ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରି କହିଛନ୍ତି ଯେ, ତାଙ୍କ ମନ୍ତବ୍ୟ ମାନହାନିଜନକ ନଥିଲା। ରାୟ ଶୁଣାଣି ସମୟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୁଲତାନପୁର ସ୍ଥିତ ସ୍ୱତନ୍ତ୍ର ଏମପି-ଏମଏଲଏ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବେଙ୍ଗାଲୁରୁରେ ଆୟୋଜିତ ଏକ ଜନସଭାରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ, ସେତେବେଳର ବିଜେପି ଜିଲ୍ଲା ଉପ-ସଭାପତି ବିଜୟ ମିଶ୍ର, ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୯ ଏବଂ ୫୦୦ ଅଧୀନରେ ଏକ ଫୌଜଦାରୀ ମାନହାନି ମାମଲା ଦାଏର କରିଥିଲେ। ଅଦାଲତ ରାହୁଲ ଗାନ୍ଧୀଙ୍କ ନାମରେ ସମନ ଜାରି କରିବା ପରେ, ୨୦୨୩ ନଭେମ୍ବର ୨୮ ତାରିଖରେ ବିଜୟ ମିଶ୍ର “ଏଏନଆଇ’କୁ କହିଥିଲେ, “ଯେତେବେଳେ ଏହି ଘଟଣା ଘଟିଲା, ସେତେବେଳେ ମୁଁ ବିଜେପିର ଉପ-ସଭାପତି ଥିଲି… ଏହି ଅଭିଯୋଗଗୁଡ଼ିକ ବିଷୟରେ ଜାଣିବା ପରେ ମୁଁ ବହୁତ ଦୁଃଖିତ ହୋଇଥିଲି, କାରଣ ମୁଁ ଦଳର ଜଣେ ୩୩ ବର୍ଷର ପୁରୁଣା କର୍ମୀ। ମୁଁ ମୋ ଓକିଲଙ୍କ ମାଧ୍ୟମରେ ଏ ନେଇ ଅଭିଯୋଗ ଦାଏର କରିଥିଲି ଏବଂ ଏହି ମାମଲା ପ୍ରାୟ ପାଞ୍ଚ ବର୍ଷ ଧରି ଚାଲିଲା।’୨୦୨୩ ମସିହାରେ ରାହୁଲ ଗାନ୍ଧୀ ଅଦାଲତରେ ହାଜର ହୋଇ ଜାମିନ ପାଇଥିଲେ। ଅଦାଲତ ପୂର୍ବରୁ ରାୟ ଶୁଣାଇବା ପାଇଁ ଅକ୍ଟୋବର ୧୩ ତାରିଖ ଧାର୍ଯ୍ୟ କରିଥିଲେ, ଯାହା ପରେ ଅକ୍ଟୋବର ୨୬ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ବରିଷ୍ଠ ଆଇନଜୀବୀ ଆର.ଏସ୍. ଚିମାଙ୍କ ସହ ଆଇନଜୀବୀ କାଶୀ ଶୁକ୍ଲା, ତରନ୍ନୁମ ଚିମା, ପ୍ରସନ୍ନ ଏସ୍. ଏବଂ ଆକାଶ ସିଂହ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ।
