ବାରିପଦା : ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ସୋମବାର ଅପରାହ୍ନରେ ହଠାତ୍ ଆସିଥିବା କାଳବୈଶାଖୀ ଝଡ଼ ଓ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ମାତ୍ର ୩୦ ମିନିଟ ଧରି ଚାଲିଥିବା ଝଡ଼ରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ଝଡ଼ର ପ୍ରଭାବରେ ବହୁ ଘରର ଛାତ ଉଡିଯାଇଥିବା ସହ ବହୁ ଗଛ ଭାଙ୍ଗି ପଡ଼ିଥିବାରୁ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ିଛି । ଖବର ପାଇ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିଥିଲେ ।
ମିଳିଥିବା ସୂଚନା ଅନୁସାରେ, ଖଣ୍ଡ ବନ୍ଧ ପଞ୍ଚାୟତର ମଜୁରାପଶି ଗ୍ରାମର ଦୂର୍ଜଧନ ପାତ୍ରଙ୍କ ଘରେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ଥିବା ସମୟରେ ପ୍ରବଳ ବାତ୍ୟା ଯୋଗୁଁ ଘରର ଆଜବେଷ୍ଟ ଛାତ ଉଡ଼ିଯାଇଥିଲା । ପରିବାର ସଦସ୍ୟମାନେ ନିକଟସ୍ଥ ଅନ୍ୟ ଘରକୁ ଦୌଡ଼ି ଯାଉଥିବା ବେଳେ ହଠାତ୍ ଏକ ବଡ଼ ଡାଳ ମା’ ଓ ଝିଅଙ୍କ ଉପରେ ପଡ଼ିଯାଇଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ୧୨ ବର୍ଷୀୟା ସ୍ୱୀଟି ପାତ୍ରଙ୍କୁ ମୃତ ଘୋଷଣା କରିଥିଲେ । ମା’ ପୂଜାରାଣୀ ପାତ୍ରଙ୍କ ବାମ ହାତ ଭାଙ୍ଗିଯାଇଥିବାରୁ ସେ ଚିକିତ୍ସାଧୀନ ଅଛନ୍ତି ।
ସେହିପରି ଦିଗଧର ପଞ୍ଚାୟତର ଖୁଣ୍ଟାପଶି ଗ୍ରାମର ସୁଚାରୁ ମହାନ୍ତଙ୍କ ସ୍ତ୍ରୀ ନର୍ମଦା ମହାନ୍ତ (୩୭) ଘରେ ଏକା ଥିବା ବେଳେ ଝଡ଼ରେ ଘରର ଆଜବେଷ୍ଟ ଭାଙ୍ଗି ପଡ଼ି ତାଙ୍କୁ ଚାପି ଦେଇଥିଲା । ଝଡ଼ ଥମିବା ପରେ ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବାର ଜଣାପଡ଼ିଛି ।
ଏହି କାଳବୈଶାଖୀରେ ଠାକୁରମୁଣ୍ଡା, ତାଳପଦା ଓ ପଡିଆବେଡା ରାଜସ୍ୱ ସର୍କଲ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଛି । ଫଳରେ ଅନେକ ଗ୍ରାମରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବାରୁ ଲୋକମାନେ ଅନ୍ଧାରରେ ରାତି କାଟୁଛନ୍ତି ।
ଏନେଇ ଠାକୁରମୁଣ୍ଡା ତହସିଲଦାର ସମ୍ବିତ କୁମାର କର କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଠାକୁରମୁଣ୍ଡା, ତାଳପଦା ଓ ପଡିଆବେଡା ରାଜସ୍ୱ ସର୍କଲରେ ମୋଟ ୨୬ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି । କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ଚାଲିଛି । ପ୍ରଶାସନ ପକ୍ଷରୁ ପୀଡ଼ିତ ପରିବାରମାନଙ୍କୁ ସହାୟତା ଯୋଗାଇଦିଆଯିବ ବୋଲି ସେ କହିଛନ୍ତି ।
