ସାହାରପଡା: କେନ୍ଦୁଝର ଜିଲ୍ଲା,ସାହାରପଡା ବ୍ଲକ ରାଇଡିହା ଗ୍ରାମପଞ୍ଚାୟତ, ରାଇଡିହା ଗ୍ରାମର ଭାଲୁଭଳକା ସାହିର ଆଦିବାସୀ ବିଧବା ମହିଳା ବୁଦୁନୀ ମୁଣ୍ଡା ଙ୍କ ସୋମବାର ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ପବନରେ ଆଜବେଷ୍ଟ ଛପର ଘରଟି ସମ୍ପୂର୍ଣ୍ଣ ହୋଇ ଯାଇଛି। ବୁଦୁନୀ ଜଣେ ଅତ୍ୟନ୍ତ ଗରିବ ବିଧବା ଆଦିବାସୀ ମହିଳା ହୋଇଥିବା ବେଳେ ବହୁ କଷ୍ଟରେ ମୂଲ ମଜୁରୀ କରି ଘର ଖଣ୍ଡେ ଗଢି ଥିଲେ। ଅଦିନରେ ଘରଟି ଭାଙ୍ଗି ଯିବାରୁ ସେ ବେସାହାରା ହୋଇ ଯାଇଛନ୍ତି। ଖବର ନେବାରୁ ‘ବୁଦୁନୀଙ୍କ ସ୍ୱାମୀ ରଥିଆ ମୁଣ୍ଡାଙ୍କର ଆଜକୁ ୫ ବର୍ଷ ପୂର୍ବେ ଦେହାନ୍ତ ହୋଇ ଯାଇଛି। ସାମାଜିକ ସୁରକ୍ଷା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରା ଯାଇ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଦିନ ମଜୁରିଆ ଭାବରେ କାମ କରି ନିଜର ଦୈନନ୍ଦିନର ଗୁଜୁରାଣ ମେଣ୍ଟାଉ ଥିବା ବୁଦୁନୀଙ୍କୁ ଏଥିପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଥିପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ବାରମ୍ବାର ଗୁହାରି ଜଣାଇ ଥିଲେ ମଧ୍ୟ କେହି ତାଙ୍କର ଗୁହାରି ଶୁଣି ନ ଥିବାର ବୁଦୁନୀ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଦାବି ଜଣାଇଛନ୍ତି।
