ବାରିପଦା; ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ କେନ୍ଦୁଆ ଗ୍ରାମରେ ଭାରତ ଜାକାତ ମାଝୀ ପାର୍ଗାନା ମହଲ, ଓଡ଼ିଶା ଶାଖା ଆନୁକୂଲ୍ୟରେ ସାନ୍ତାଳ ସାମାଜିକ ସ୍ୱଶାସନ ବ୍ୟବସ୍ଥା ସମ୍ପର୍କିତ ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ମାଝୀ ବାବା ଓ ନାୟକେ ବାବାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ସାନ୍ତାଳ ପୁରୁଷ ଓ ମହିଳା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପନତ ପାର୍ଗାନା ବାବା ମାନତାନ ବାଲକରାମ ବାସ୍କେ, ହନତ ପାର୍ଗାନା ବାବା ମାନତାନ ସୁନ୍ଦରମୋହନ ସୋରେନ, ସୂର୍ଯ୍ୟାନନ୍ଦ ସୋରେନ, ରମେଶ ହାଁସଦା, ମଦନମୋହନ ଟୁଡୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଦିବାସୀଙ୍କ ଅଧିକାର ଓ ପାରମ୍ପରିକ ସ୍ୱଶାସନ ବ୍ୟବସ୍ଥା ଉପରେ ମତ ରଖିଥିଲେ। ଆରମ୍ଭରେ ବୀର ତିଲକା ମାଝୀ ଓ ଅଲଚିକି ଲିପିର ଜନକ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସାନ୍ତାଳୀ ଭାଷାରେ ଶିକ୍ଷାଦାନ, ୨୦ ଜଣ ସାନ୍ତାଳୀ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ସ୍ଥାନ, ପେସା ଆଇନ-୧୯୯୬ ଅନୁଯାୟୀ ଓଡ଼ିଶାରେ ନିୟମାବଳୀ ପ୍ରଣୟନ, ମାଝୀ ବାବା ଓ ନାୟକେ ବାବାଙ୍କୁ ସ୍ୱୀକୃତି ଏବଂ ଗ୍ରାମସଭାକୁ କ୍ଷମତା ପ୍ରଦାନ ଆଦି ଦାବି ଉପରେ ଆଲୋଚନା ହୋଇଥିଲା। ଏଥିସହ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜମି ପଟ୍ଟା ପ୍ରଦାନ ଓ ଜନଗଣନାରେ ସାରନା ଧର୍ମ ପାଇଁ ସ୍ୱତନ୍ତ୍ର କୋଡ ବ୍ୟବସ୍ଥା ଦାବି ଉଠିଥିଲା।
ଏହି ଅବସରରେ କେନ୍ଦୁଆ ଓ ଗୁଣ୍ଡିହୁଡି ପିଳର ପଞ୍ଚାୟତସ୍ତରୀୟ କମିଟି ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମରେ ବାଗାୟ ହାଁସଦା, ସୁବାଷ ମୁର୍ମୁଙ୍କ ସମେତ ଅନ୍ୟ ସମାଜସେବୀ ମାନେ ସହଯୋଗ କରିଥିବା ବେଳେ ଶେଷରେ ଶ୍ୟାମସୁନ୍ଦର ବାସ୍କେ ଧନ୍ୟବାଦ ଅର୍ପଣ କରିଥିଲେ।
