କୋଲକାତା: ଭାରତୀୟ ଚିତ୍ରଶିଳ୍ପୀ ତଥା ରାଜ୍ୟସଭାର ପୂର୍ବତନ ସାଂସଦ ଯୋଗେନ ଚୌଧୁରୀ ୮୭ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ରବିବାର ପୂର୍ବାହ୍ନ ୧୦:୪୫ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥ ଥିବା ଏହି କଳାକାର ଦକ୍ଷିଣ କୋଲକାତାର ଆନନ୍ଦପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ଚୌଧୁରୀଙ୍କୁ ପରିବାରବର୍ଗଙ୍କ ସହମତି କ୍ରମେ ଶନିବାର ଦିନ ଭେଣ୍ଟିଲେସନରେ ରଖାଯାଇଥିଲା। ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଏକ ବର୍ଷରୁ ଅଧିକ ସମୟ ଧରି ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ, ଯାହାର କୌଣସି ସ୍ଥାୟୀ ଚିକିତ୍ସା ନଥିଲା। ନିକଟରେ ଦୁର୍ଗାପୂଜା ସମୟରେ ସେ ପରିସ୍ରା ନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ସେବେଠାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଜଣାପଡ଼ିଛି ଯେ, ଗତ ୧୪ ମାସ ମଧ୍ୟରେ ସେ ଅନେକ ଥର କେମୋଥେରାପି ଚିକିତ୍ସା ଗ୍ରହଣ କରିଥିଲେ। ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ଫରିଦପୁରର (ଯାହା ସେତେବେଳେ ଅବିଭକ୍ତ ବଙ୍ଗଳାର ଅଂଶ ଥିଲା) ଦହରପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଚୌଧୁରୀଙ୍କର କଳା ପ୍ରତି ଆଗ୍ରହ ତାଙ୍କ ମା’ଙ୍କ ପ୍ରଭାବରେ ସୃଷ୍ଟି ହୋଇଥିଲା। ତାଙ୍କ ମା’ ପାରମ୍ପରିକ ଚଟାଣ କଳା “ଆଲପନା’ରେ ବେଶ୍ ଦକ୍ଷ ଥିଲେ।
ଦେଶ ବିଭାଜନ ସମୟରେ ତାଙ୍କ ପରିବାର କୋଲକାତାକୁ ଚାଲିଆସିଥିଲେ, ଯେଉଁଠାରେ ସେ କଳା କ୍ଷେତ୍ରରେ ଔପଚାରିକ ପ୍ରଶିକ୍ଷଣ ଲାଭ କରିଥିଲେ। ଚୌଧୁରୀ ହାୱଡ଼ା ଜିଲ୍ଲା ସ୍କୁଲରେ କଳା ଶିକ୍ଷକ ଭାବରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ଏବଂ ପରେ ୧୯୬୨ ମସିହାରେ କୋଲକାତା ସ୍ଥିତ ହ୍ୟାଣ୍ଡଲୁମ୍ ବୋର୍ଡରେ ଡିଜାଇନର୍ ଭାବରେ ଯୋଗ ଦେଇଥିଲେ। ଚୌଧୁରୀଙ୍କୁ ଜଣେ ଉଚ୍ଚକୋଟିର କଳାକାର ବୋଲି ବର୍ଣ୍ଣନା କରି ଅଧିକାରୀ କହିଛନ୍ତି ଯେ, ସେ ନିଜ ପଛରେ ଯେଉଁ କଳାକୃତି ଛାଡ଼ି ଯାଇଛନ୍ତି, ତାହା ରାଜ୍ୟ ତଥା ଦେଶ ପାଇଁ ଏକ ଅମୂଲ୍ୟ ସମ୍ପଦ। ପୂର୍ବ ମେଦିନୀପୁରର ରାମନଗର ଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଲେ, ରାଷ୍ଟ୍ରପତି ଭବନ ସମେତ ଅନେକ ସରକାରୀ କୋଠାବାଡ଼ିରେ ଚୌଧୁରୀଙ୍କ ଅବଦାନ ସ୍ପଷ୍ଟ ଭାବେ ଦେଖିବାକୁ ମିଳେ। ସେ ଛାଡ଼ି ଯାଇଥିବା କଳାକୃତିଗୁଡ଼ିକ ଶତାବ୍ଦୀ ଶତାବ୍ଦୀ ଧରି ରହିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଚୌଧୁରୀ ବଙ୍ଗଳା ତଥା ଭାରତର ଗର୍ବ ଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି, “ସେ ବିଶ୍ୱବ୍ୟାପୀ କଳାକାରମାନଙ୍କ ପାଇଁ ଏବଂ ବ୍ୟକ୍ତିଗତ ଭାବେ ମୋ ପାଇଁ ମଧ୍ୟ ଏକ ବଡ଼ ପ୍ରେରଣାର ଉତ୍ସ ଥିଲେ। ତାଙ୍କ ପରିବାର, ବନ୍ଧୁବର୍ଗ ଏବଂ ସମଗ୍ର ବିଶ୍ୱରେ ଥିବା ତାଙ୍କ ପ୍ରଶଂସକମାନଙ୍କ ନିକଟରେ ମୁଁ ସମବେଦନା ଜଣାଉଛି।’ ବାନାର୍ଜୀ ମନେ ପକାଇ ଦେଇଛନ୍ତି ଯେ, ଚୌଧୁରୀ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ। ଏହା ସହ, ୨୦୧୨ ମସିହାରେ ତାଙ୍କ ସରକାର ତାଙ୍କୁ ରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନଗୁଡ଼ିକ ମଧ୍ୟରୁ ଅନ୍ୟତମ “ବଙ୍ଗ ବିଭୂଷଣ’ ପ୍ରଦାନ କରିଥିଲେ। ସେ କହିଛନ୍ତି, “ତାଙ୍କ ବିୟୋଗ କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିବ।’ ଚିତ୍ରଶିଳ୍ପୀ ସମୀର ଆଇଚ ମଧ୍ୟ ଚୌଧୁରୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଏହାକୁ ଏକ “ବ୍ୟକ୍ତିଗତ କ୍ଷତି’ ବୋଲି ବର୍ଣ୍ଣନା କରିଛନ୍ତି। ଆଇଚ କହିଛନ୍ତି ଯେ, ତାଙ୍କ ବିୟୋଗ ଦେଶରେ ଏକ ବିଶେଷ କଳା ଶୈଳୀର ଅବସାନ ଘଟାଇଛି। ଲେଖକ ଶିର୍ଷେନ୍ଦୁ ମୁଖୋପାଧ୍ୟାୟ ମଧ୍ୟ ଏହି ଚିତ୍ରଶିଳ୍ପୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ଜଣେ ଦୀର୍ଘଦିନର ବନ୍ଧୁ ଓ ସହଯୋଗୀ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, “ଯୋଗେନ ମୋର ଜଣେ ଦୀର୍ଘଦିନର ବନ୍ଧୁ ଓ ସହଯୋଗୀ ଥିଲେ।
