ଭଞ୍ଜନଗର : ସ୍ଥାନୀୟ ପୁଲିସ ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍? ମଧ୍ୟରୁ ମୋଟ ୧୫୦ଟି ଫୋନ୍ ଜବତ କରି ଇତି ମଧ୍ୟରେ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିଛି। ପ୍ରଥମ ୩ ଟି ପର୍ଯ୍ୟାୟରେ ୧୧୫ ଟି ଜବତ ମୋବାଇଲ କୁ ପ୍ରକୃତ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା। ଆଉ ସୋମବାର ଆଉ ଏକ ମୋବାଇଲ ମେଳା କରି ଆଉ ୩୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇ ପ୍ରକୃତ ମାଲିକମାନଙ୍କୁ ଫେରାଇ ଦିଆଯାଇଛି।ନୂତନ ବୈଷୟିକ ଜ୍ଞାନକୌଶଳ ଓ ସାଇବର୍ ପ୍ରଯୁକ୍ତିର ସହାୟତାରେ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍ ଫେରିପାଇବାରେ ପୋଲିସ ସଫଳ ହେଉଛି। ଏହାର ଫଳରେ ଲୋକମାନଙ୍କ ମୁହଁରେ ହସ ଫୁଟିଉଠିଛି ଓ ପୋଲିସର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି।

ସୋମବାର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଏସପି ରଞ୍ଜନ କୁମାର ଦେ ମୋବାଇଲ୍ ଫୋନ୍ କିପରି ଉଦ୍ଧାର କରାଗଲା ସେଥିପାଇଁ ବିସ୍ତାରିତ ତଥ୍ୟ ଦେଇଥିଲେ। ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ, ସାଇବର୍ ସେଲ୍?ର ସହଯୋଗ ଓ ଭଞ୍ଜନଗର ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁ ଲୋକମାନଙ୍କୁ ଶୀଘ୍ର ନ୍ୟାୟ ମିଳିପାରିଛି ବୋଲି ସେ କହିଛନ୍ତି।ଏହି ସମ୍ମିଳନୀରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସଆଇ ଲକ୍ଷ୍ମୀଧର ମହାନ୍ତି, ଜ୍ୟୋତ୍ସ୍ନାମୟୀ ସାହୁ ଓ ଏଏସଆଇ ବିଦେଶୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ସୂଚନା ଯୋଗ୍ୟ ଯେ, ଜଣେ ଯୁବକଙ୍କ ୧୬ ମାସ ପୂର୍ବରୁ ହଜିଯାଇଥିବା ଆଇଫୋନ୍?କୁ ମଧ୍ୟ ପୋଲିସ ଉଦ୍ଧାର କରି ତାଙ୍କୁ ହସ୍ତାନ୍ତର କରିଛି। ଅପରପକ୍ଷରେ ନିଜର ହଜି ଯାଇଥିବା ମୋବାଇଲ ଫୋନ୍ ପୁଣିଥରେ ଫେରି ପାଇବାକୁ ଆଶା ରଖିନଥିବା ଅନେକ ପରିବାର ନିଜର ମୋବାଇଲ ଫେରି ପାଇବା ପରେ ଭଞ୍ଜନଗର ପୁଲିସ କୁ ପ୍ରଶଂସା ରେ ପୋତି ପକାଉଥିବା ଦେଖିବାକୁ ମିଳିଛି।
