ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ରବିବାର ଦିନ ଆନ୍ଧ୍ରପ୍ରଦେଶ ଏବଂ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକ ପାଇଁ ଏକ ବାତ୍ୟା ସତର୍କତା ଜାରି କରିଛି। ଏହି ବାତ୍ୟା ଅକ୍ଟୋବର ୨୮ ତାରିଖରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି, ଯାହା ଫଳରେ ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗ କହିଛି ଯେ, ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଦକ୍ଷିଣ-ପୂର୍ବ ଦିଗକୁ ଗତି କରୁଛି। ତେବେ, ଏହା ଏକ ଗଭୀର ଲଘୁଚାପରେ ପରିଣତ ହେବା ପୂର୍ବରୁ ପ୍ରାୟ ଦକ୍ଷିଣ ଦିଗକୁ ଗତି କରିପାରେ ଏବଂ ପରେ ପୁନର୍ବାର ମୋଡ଼ ନେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖିବ ଏବଂ ସୋମବାର ସକାଳ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବ। ଏହା ପରେ ମଙ୍ଗଳବାର ସକାଳ ସୁଦ୍ଧା ଏହା ଏକ ପ୍ରବଳ ଘୂର୍ଣ୍ଣିଝଡ଼ର ରୂପ ନେବ। ପରବର୍ତ୍ତୀ ସମୟରେ ଏହା ଆହୁରି ଶକ୍ତିଶାଳୀ ହୋଇ ଏକ ଅତ୍ୟନ୍ତ ପ୍ରବଳ ଘୂର୍ଣ୍ଣିଝଡ଼ରେ ପରିଣତ ହେବ ଏବଂ ଅକ୍ଟୋବର ୨୮ ତାରିଖରେ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ପାଣିପାଗ ବିଭାଗ ଏକ ବିବୃତ୍ତି ଜାରି କରି କହିଛି, “ଏହି ବାତ୍ୟା ଅକ୍ଟୋବର ୨୮, ୨୦୨୬ ପୂର୍ବାହ୍ନ ସୁଦ୍ଧା ଏକ ଅତ୍ୟନ୍ତ ପ୍ରବଳ ଘୂର୍ଣ୍ଣିଝଡ଼ ଭାବରେ ବାପାଟଲା ଏବଂ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ୟାନମ ଉପକୂଳ ଅତିକ୍ରମ କରିବାର ପ୍ରବଳ ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୫-୧୨୫ କିଲୋମିଟର ରହିପାରେ, ଯାହା ଝଡ଼କା ରୂପେ ଘଣ୍ଟା ପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।’ ଆନ୍ଧ୍ରପ୍ର ତାମିଲନାଡୁ ଏବଂ ପୁଡୁଚେରୀରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ଯେଉଁଠାରେ ପ୍ରଶାସନକୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାମିଲନାଡୁର କୋଏମ୍ବାଟୁର, ତିରୁଭନ୍ନମଲାଇ, ଭିଲ୍ଲୁପୁରମ, କଲ୍ଲାକୁରିଚି, କୁଡ୍ଡାଲୋର, ମୟିଲାଦୁଥୁରାଇ, ଥାଞ୍ଜାଭୁର, ତିରୁଭାରୁର ଏବଂ ନାଗାପଟ୍ଟନମ ଜିଲ୍ଲା ପାଇଁ “ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି। ଅନ୍ୟପକ୍ଷରେ, କେରଳର ପାଞ୍ଚଟି ଜିଲ୍ଲା ପାଇଁ “ରେଡ୍ ଆଲର୍ଟ’ ଜାରି କରାଯାଇଥିବା ବେଳେ, ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ଅନାବଶ୍ୟକ ଭାବେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
