ପୁରୀ: ପୁରୀ ସହରବାସୀଙ୍କ ପାଇଁ ପୂର୍ବପରି ଶ୍ରୀମନ୍ଦିରରେ ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସୁବିଧା ପୁନଃ ପ୍ରଚଳନ କରିବା ଦାବିରେ ଚାଲିଥିବା ଜନଜାଗରଣ ପଦଯାତ୍ରା ଆଜି ୨୦୭ ଦିନରେ ପଦାର୍ପଣ କରିଛି। ଦୀର୍ଘ ଦିନ ଧରି ନିରବଚ୍ଛିନ୍ନ ଭାବେ ଜାରି ରହିଥିବା ଏହି ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପୁରୀବାସୀଙ୍କ ଧାର୍ମିକ ଆବେଗ, ଆତ୍ମମର୍ଯ୍ୟାଦା ଓ ନ୍ୟାଯ୍ୟ ଦାବି ପ୍ରତି ସେମାନଙ୍କ ଦୃଢ଼ ଆନୁଗତ୍ୟକୁ ପ୍ରତିପାଦିତ କରୁଛି। ଉତ୍କଳ ଦିବସ ଅବସରରେ ଏପ୍ରିଲ ୧ ତାରିଖରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏବଂ ଏପ୍ରିଲ ୨ ତାରିଖରେ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ନିଜର ଦାବି ପୂରଣ ନେଇ ଦୃଢ଼ ସଂକଳ୍ପ ସହ ଆଗେଇ ଚାଲିଛି। ପ୍ରତିଦିନ ସିଂହଦ୍ୱାର ସମ୍ମୁଖରେ ପଦଯାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାବି ଜଣାଉଛନ୍ତି।

ଏହି ପଦକ୍ଷେପ କାହାରି ବିରୋଧରେ ନୁହେଁ; ବରଂ ମହାପ୍ରଭୁଙ୍କ ସମାନତା, ଭାଇଚାରା, ମାନବିକତା ଓ ସମାବେଶୀ ଜଗନ୍ନାଥ ସଂସ୍କୃତିର ମହାନ ଆଦର୍ଶକୁ ଉଜ୍ଜୀବିତ କରିବାର ଏକ ପ୍ରୟାସ। ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀ ସହର ଓ ସଦରବାସୀଙ୍କ ପାଇଁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନର ସୁବିଧା ପୁନଃ ଲାଗୁ ନହେବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଅବ୍ୟାହତ ରହିବ। ଦାବି ପୂରଣ ପାଇଁ ଅହିଂସା ଓ ଶାନ୍ତିର ମାର୍ଗରେ ଏହି ଜନଆନ୍ଦୋଳନ ଜାରି ରହିବ ବୋଲି ସେ ଦୃଢ଼ ମତ ପ୍ରକାଶ କରିଛନ୍ତି।

ଶନିବାର ଏହି ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ସୁକାନ୍ତ ପଣ୍ଡା, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, କିଶୋର ଚନ୍ଦ୍ର ଦାସ, ଅଞ୍ଜୁବାଳା ମହାନ୍ତି, ଭାରତୀ ମହାନ୍ତି, ବନିତା ଦୀକ୍ଷିତ, ସୀତା, ଚାନ୍ଦିନୀ ମୁଦୁଲି, ପୂଜା କିନ୍ନର, ସୀତା ନାୟକ, ମମତା ସ୍ୱାଇଁ, ରମେଶ ଚନ୍ଦ୍ର ମହାନ୍ତି, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି, ଗଦାଧର ମହାରଣା, ସୁବାସ ପଟ୍ଟନାୟକ, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ପଦଯାତ୍ରୀ ସାମିଲ ହୋଇ ଏହି ଦାବି ପ୍ରତି ନିଜର ଏକତା ଓ ସମର୍ଥନ ପ୍ରକାଶ କରିଥିଲେ।
