ବାରିପଦା : ମୟୂରଭଞ୍ଜ ଜିଲ୍ଲା,ରାସଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯାହା ଉକ୍ତ ଥାନା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକଙ୍କ ମୃତଦେହକୁ ଥାନା ଆଗରେ ରଖି ପରିବାର ଲୋକେ ନ୍ୟାୟ ପାଇଁ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଉକ୍ତ ଥାନା ଅଞ୍ଚଳର ବ୍ରହ୍ମାନନ୍ଦ ଗିରି ଜୈନିକ ଯୁବତୀଙ୍କୁ ପ୍ରେମ କରୁଥିଲେ। ଯୁବତୀଙ୍କ ପରିବାର ଲୋକେ ଏହା ଜାଣିବା ପରେ ଯୁବକ ବ୍ରହ୍ମାନନ୍ଦ ଏବଂ ତାଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେବା ଓ଼ ଜୀବନରୁ ମାରି ଦେବାର ଧମକ ଦେଇ ଆସୁଥିଲେ। ମାନସିକ ନିର୍ଯ୍ୟାତନା ସହି ନପାରି ଯୁବକ ବ୍ରହ୍ମାନନ୍ଦ ପଶ୍ଚିମବଙ୍ଗ ଦାନ୍ତୁନ ସ୍ଥିତ ଏକ ନିଛାଟିଆ ସ୍ଥାନକୁ ଯାଇ ବିଷ ପିଇଥିଲେ ଏବଂ ବିଷ ପିଇବାର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ଯୁବକଙ୍କ ଆତ୍ମହତ୍ୟା ପାଇଁ ଯୁବତୀଙ୍କ ପରିବାର ଲୋକେ ଦାୟୀ ବୋଲି ଭିଡିଓରେ କହିଥିଲେ। ତେବେ ଯୁବକଙ୍କୁ ପ୍ରଥମେ ଦାନ୍ତୁନ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇବା ପରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତେବେ ଆଜି ଅପରାହ୍ନ ୪ଟା ୩୦ ମିନିଟ ସମୟରେ ମୃତ ଦେହକୁ ଧରି ପରିବାର ଲୋକେ ବିକ୍ଷୋଭ କରି ନ୍ୟାୟ ଦାବି କରିଛନ୍ତି।
