ପୁରୀ: ରଥଯାତ୍ରା ପାଇଁ ରଥ ନିର୍ମାଣ ଦ୍ରୁତଗତିରେ ଆଗେଇ ଚାଲିଛି । ଶନିବାର ରଥ ନିର୍ମାଣର ୩୩ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତିନିରଥର ପଞ୍ଚଦଣ୍ଡା ଚଉପଟ ପାଇଁ ବାହାର ରଥ ଖଳାରେ କାଠ ସାଇତା ସହ ତିନି ରଥର ଅଖ ନିର୍ମାଣ ଜାରୀ ରଖିଛନ୍ତି । ତିନିରଥର ଚାରି ନାହାକା ଶେଷ ପରେ ଆରମ୍ଭ ହୋଇଛି ତିନିରଥର ଚଉଦ ନାହାକା ନିର୍ମାଣ କାର୍ଯ୍ୟ । ଆଜି ରଥ ଅମୀନ ଭୋଇ ସେବକଙ୍କ ସହାୟତାରେ ତିନିରଥ ଚାଳିକୁ ପ୍ରଥମ ପର୍ଯ୍ୟାୟରେ ୫ଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଫାଳି ଯୋଗାଇ ଦେଇଛନ୍ତି, ତିନିରଥର ମହାରଣା ସେବକ ମାନେ ଉକ୍ତ ଚଉଦ ନାହାକା କାଠ ଫାଳୀ ର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି, ଚଉପଟ ପରେ ଉକ୍ତ ନାହାକା କାଠ ର ଅଷ୍ଟ କୋଣିି ଆଁଶ ମରା କାର୍ଯ୍ୟ ହେବ। ଏହି ୧୪ ନାହାକା ତିନି ରଥରେ ଚାରି ନହାକା ର ଚାରି ପାର୍ଶ୍ୱରେ ବୁଲିବା ସହ ପ୍ରଥମ ଭୂଇଁ ଛ କାଠିରେ ପାଖୁଡ଼ା ସଂଯୋଗ ହୋଇ ତିନିରଥ ର ମଝି ଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ୍ ସଂଯୋଗ ହୋଇଥାଏ।ତିନିରଥର ଗରଗରା ଚଉପଟ ଶେଷ ପରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି ।

ଆଜି ଆରମ୍ଭ ହୋଇଛି ତିନି ରଥର ୨୦ ଫୁଟିଆ ଗରଗରା ରେ ବିନ୍ଧ କାର୍ଯ୍ୟ, ପ୍ରତି ଗରଗରାର ଉଭୟ ପାର୍ଶ୍ୱରେ ଗୋଟିଏ ଲେଖାଏଁ ଆୟତାକାର ବିନ୍ଧ ତିନିରଥର ମହାରଣା ସେବକ ମାନେ ଖୋଦେଇ ଜାରୀ ରଖିଛନ୍ତି ,ଏହି ଗରଗରା ଆୟତାକାର ବିନ୍ଧରେ ସଂଯୋଗ ହୋଇ ଉଠିବ ଚାରି ନାହାକା । ଏଥିସହ ତିନିରଥର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନିରଥର ଅଖ ନିର୍ମାଣ କାର୍ଯ୍ୟ ତିନିରଥର ସାନ ଉଛୁଳା, ଅଖ ଶେଷ ହୋଇ ନାହାକା ଏବଂ ପଡ଼ି ନାହାକା ଅଖ ଗୁଦିକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରୂପକାର ସେବକ ମାନେ ତିନିରଥର ସାଲ ଗୁଜ ରେ ରୂପ ଭୋଦେଇ ଶେଷ କରି ପଲିସ୍ କାର୍ଯ୍ୟ ସହ ଅଳଙ୍କାର ପକା କାର୍ଯ୍ୟ ସହ ତିନିରଥର ତୀଖ ଗୁଜ ଗୁଡିକରେ ସିଂହ ବିରାଳ ରୂପ ଖଦେଇ ଜାରୀ ରଖିଛନ୍ତି ।କରତୀ ସେବକ ମାନେ ତାଳଧ୍ୱଜ ରଥର ୪୦ ଫୁଟିଆ ପୋଲ ଗୟଳ ର ଚିତା କାର୍ଯ୍ୟ ପରେ ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ଅଖ କଣ୍ଟା ସହ ଗରଗରା କଣ୍ଟା, ପୋଟଳ ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ପାହି ମହାରଣା ଦୋଳବେଦୀ ଠାରେ ଅଣସର ତଥା ରଥଯାତ୍ରାରେ ସେବା ନୀତି ପାଇଁ କାଠ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି । ତିନିରଥ ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୭ ଜଣ, କରତି ସେବକ ୪ଜଣ, ରୂପକାର ସେବକ ୨୧ ଜଣ, ଓଝା କମାର ସେବକ ୨୦ ଜଣ,ତୁମ୍ବ ବିନ୍ଧ କାରିଗର ୨ ଜଣ, ପାହି ମହାରଣା ୨ ଜଣ, ରଥଖଳା ସହାୟକ ୧ ଜଣ ମୋଟ ୨୦୫ ଜଣ ସେବକ ରଥ ନିର୍ମାଣରେ ନିମଗ୍ନ ରହିଛନ୍ତି ।
