ପୁରୀ: କୋଠ ଘର ଭିତରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସର ଚଢାଉ। ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ନୂଆ ବାଲିଆ ଗାଁର କୋଠ ଘରେ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ କରିଛି ପୋଲିସ। ପୋଲିସକୁ ଦେଖି ଜୁଆ ଖେଳୁଥିବା ବ୍ୟକ୍ତି ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ପୋଲିସ ଉପରକୁ ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏକାଧିକ ବ୍ୟକ୍ତିଙ୍କୁ ଚନ୍ଦନପୁର ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ନୂଆ ବାଲିଆ ଗାଁରେ ସଦର ଏସଡିପିଓ ଏବଂ ଚନ୍ଦନପୁର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି। କୋଠ ଘରେ ତାସ୍, ନିଶା ସାମଗ୍ରୀ ପଡ଼ିଥିବା ଦେଖିବାକୁ ମିଳିଛି।ତେବେ ଗୁରୁବାର ସକାଳେ ନୂଆ ବାଲିଆ ଗାଁ କୋଠ ଘରେ ଜୁଆ ଖେଳ ଚାଲିଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା। ତୁରନ୍ତ ପୋଲିସ ଟିମ୍ ସେଠାରେ ପହଞ୍ଚି ଚଢ଼ାଉ କରିଥିଲେ। ପୋଲିସକୁ ଦେଖି କିଛି ଲୋକ ଛତ୍ରଭଙ୍ଗ ଦେଇଥିବା ବେଳେ ଆଉ କିଛି ଲୋକ ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଆକ୍ରମଣରେ କୌଣସି ପୋଲିସ କର୍ମଚାରୀ ଆହତ ହୋଇନଥିବା ବେଳେ ପୋଲିସ ଏକାଧିକ ବ୍ୟକ୍ତି ଙ୍କୁ ଥାନାରେ ଅଟକ ରଖିଛି। ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସମ୍ଭାବନା ଥିବାରୁ ସଦର ଏସଡିପିଓ, ଚନ୍ଦନପୁର ଥାନା ଅଧିକାରୀ ଙ୍କ ସହ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
