ବାରିପଦା /କରଞ୍ଜିଆ: କରଞ୍ଜିଆ ବ୍ଲକ, ଚଢ଼େଇଭୋଳ ଓ କେନ୍ଦୁଝର ଜିଲ୍ଲା ତୁରୁମଙ୍ଗା ସୀମାନ୍ତ ଅଞ୍ଚଳରେ ବୋହିଯାଇଥିବା ବୈତରଣୀ ନଦୀରେ ଗାଧୋଉଥିବା ସମୟରେ ଜଣେ ଯୁବକ ବୁଧବାର ଅପରାହ୍ନରେ ନିଖୋଜ ହୋଇଥିବାର ସୂଚନା ମିଳିବା ପରେ ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ଓ ଉତ୍କଣ୍ଠାର ପରିବେଶ ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ, ବିହାର ଓ ଝାର୍ଡଖଣ୍ଡ ଅଞ୍ଚଳର ୩ ଜଣ ଯୁବକ ଗତକାଲି ଅପରାହ୍ନରେ ବୈତରଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବା ବେଳେ ହଠାତ୍ ଜଣେ ଯୁବକ ନଦୀ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ସହଯାତ୍ରୀମାନେ ତୁରନ୍ତ ସ୍ଥାନୀୟ ଲୋକଙ୍କୁ ସୂଚନା ଦେବା ସହ କରଞ୍ଜିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ କରଞ୍ଜିଆ ଓ ସୁକ୍ରୁଳି ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିଲା। ଆଜି ସକାଳୁ ପୁଣିଥରେ ଅଗ୍ନିଶମ ବିଭାଗ ପକ୍ଷରୁ ନଦୀରେ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା । ଏପରିକି ଭୁବନେଶ୍ୱର ଠାରୁ ମଧ୍ୟ ଏକ ବୁଡାଳି ଦଳ ପହଞ୍ଚି ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଆଜି ଅପରାହ୍ନ ସମୟରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ନାମ ଏମଡି ଇଫ୍ଟିକାର(୧୮) ବୋଲି ଜଣାଯାଇଛି।
