କଟକ: କ୍ରୀଡ଼ା ଜଗତରେ ନିଜ ପ୍ରତିଭାରେ ନୂଆ ପରିଚୟ ଗଢ଼ିବାକୁ ସ୍ୱପ୍ନ ଦେଖୁଥିଲେ ଦୁଇ ଯୁବ ଆଥଲେଟ୍। ଆଗରେ ଥିଲା ଅନେକ ସମ୍ଭାବନା, କ୍ୟାରିୟରରେ ଆଗକୁ ବଢ଼ିବାର ଥିଲା ଅସୀମ ଆଶା। କିନ୍ତୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସବୁ ସ୍ୱପ୍ନକୁ ଅଧାରେ ଅଟକାଇ ଦେଇଛି। ବିଜୟା ଦଶମୀରେ ଦେବୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ବାଇକ୍ ଦୁର୍ଘଟଣାରେ ଦୁଇ ପ୍ରତିଭାବାନ ଆଥଲେଟ୍? ଜୟରାମ ଦଣ୍ଡପତି ଓ ମଳୟ ବାରିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ରାଜ୍ୟର କ୍ରୀଡ଼ା ମହଲରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ବୁଧବାର ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରା ଅଞ୍ଚଳରେ ଥିବା ଏକ କା?ର୍ ଶୋ’ରୁମ୍ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ଦୁଇ ଆଥଲେଟ୍ ବାଇକ୍ରେ ଫେରୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡ?ର୍ରେ ପିଟି ହୋଇଯାଇଥିଲା।ଦୁର୍ଘଟଣାରେ ଉଭୟ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ କଟକର ଏସ୍ସିବି ମେଡିକାଲ୍କୁ ନିଆଯାଇଥିଲେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜୟରାମ ଓ ମଳୟ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍?ସ୍ଥିତ ରିଲାଏନ୍ସ ହାଇ ପରଫର୍ମାନ୍ସ ସେଣ୍ଟରରେ ରହି କ୍ରୀଡ଼ା ପ୍ରଶିକ୍ଷଣ ନେଉଥିଲେ। ଦୁର୍ଗାପୂଜା ଅବସରରେ ମା’ଙ୍କ ଦର୍ଶନ ପାଇଁ ସେମାନେ ହଷ୍ଟେଲ୍?ରୁ ବାହାରିଥିଲେ। ସମ୍ଭବତଃ କଟକରୁ ଫେରିବା ସମୟରେ ନଖରା ନିକଟରେ ଏହି ଅଘଟଣ ଘଟିଥିଲା। ଆନ୍ଧ୍ରପ୍ରଦେଶର କାକିନାଡ଼ାର ବାସିନ୍ଦା ଜୟରାମ ଦଣ୍ଡପତି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ରହି ନିଜ କ୍ରୀଡ଼ା କ୍ୟାରିୟରକୁ ଆଗକୁ ନେଉଥିଲେ।ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲା ଅତାବିରାର ମଳୟ ବାରିକ ୪୦୦ ମିଟର ଦୌଡ଼ରେ ଓଡ଼ିଶାର ପ୍ରତିନିଧିତ୍ୱ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ। ଉଭୟଙ୍କ ନିକଟରେ ଉଚ୍ଚସ୍ତରରେ ପ୍ରଦର୍ଶନ କରିବାର ଯଥେଷ୍ଟ ସମ୍ଭାବନା ରହିଥିଲା। ଦୁଇ ଯୁବ ଆଥଲେଟ୍?ଙ୍କ ଅକାଳ ବିୟୋଗ କେବଳ ସେମାନଙ୍କ ପରିବାର ପାଇଁ ନୁହେଁ, ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ମଧ୍ୟ ଏକ ବଡ଼ କ୍ଷତି। ଯେଉଁ ବୟସରେ ସେମାନେ ନିଜ ସଫଳତାର ନୂଆ ଅଧ୍ୟାୟ ଲେଖିବା କଥା, ସେହି ସମୟରେ ଅକାଳରେ ଜୀବନ ହାରିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଭୀର ଶୋକ ପ୍ରକାଶ କରିଛନ୍ତି।
