ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସ୍ବିଆଇ ଉପରେ ସାଇବର ଆଟାକ। ସାଇବର ହ୍ୟାକରମାନେ ବ୍ୟାଙ୍କର ଗ୍ରାହକ ରେକର୍ଡରେ ଅନାଧିକାର ଭାବେ ପ୍ରବେଶ କରିବାକୁ ହୋଇଛନ୍ତି ସକ୍ଷମ। ସେମାନେ ଏସ୍ବିଆଇ ଉପରେ ଆଟାକ କରି ବ୍ୟାଙ୍କର ୩୮୯୭ ଜଣ ଗ୍ରାହକଙ୍କ ସମ୍ବେଦନଶୀଳ ତଥ୍ୟକୁ ଚୋରି କରି ନେଇଛନ୍ତି। ଗ୍ରାହକଙ୍କ ବ୍ୟକ୍ତିଗତ ଚିହ୍ନଟ ତଥ୍ୟ ବା ପିଆଇଏଫକୁ ସେମାନେ ଚୋରି କରି ନେଇ ଡାର୍କ ୱେକରେ ଅପଲୋଡ କରିଛନ୍ତି। ଏକଥାକୁ ଖୋଦ ଏସ୍ବିଆଇ ସ୍ୱୀକାର କରିଛି। କିନ୍ତୁ ଏହି ଘଟଣା ବ୍ୟାଙ୍କର ଅପରେସନ, ଆର୍ôଥକ ପ୍ରଦର୍ଶନ କିମ୍ବା ବ୍ୟବସାୟକୁ ଆଦୌ ପ୍ରଭାବିତ କରିପାରି ନଥିବା ଏସ୍ବିଆଇ ସଫେଇ ଦେଇଛି। ଅକ୍ଟୋବର ୧୬ରେ ଏସ୍ବିଆଇକୁ ଥ୍ରେଟ୍ ଇଣ୍ଟେରିଜେନ୍ସ ସର୍ଭିସ ପ୍ରୋଭାଇଡର, ଡିଫେନ୍ସ ସାଇବର ଏଜେନ୍ସି ଓ ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ ବା ସିଇଆରଟି-ଇନ୍ ପକ୍ଷରୁ ଗୋଟିଏ ଆଲର୍ଟ ଜାରି କରାଯାଇଥିଲା। ଗ୍ରାହକଙ୍କ ବ୍ୟାଙ୍କ ତଥ୍ୟ ଚୋରି ହୋଇଥିବା ଏହି ଆଲର୍ଟରେ ଆଶଙ୍କା କରାଯାଇଥିଲା ବୋଲି ଏସ୍ବିଆଇ କହିଛି। ଏହାପରେ ଏସବିଆଇ କରିଥିବା ପ୍ରାଥମିକ ବିଶ୍ଲେଷଣରୁ ଜଣାପଡ଼ିଥିଲା ଯେ ଡାର୍କ ୱେବରେ ମୋଟ ୩,୭୫,୦୦୦ ରେକର୍ଡ ଅପଲୋଡ ହୋଇଛି। ଏହା ମଧ୍ୟରେ ୩,୮୯୭ ଜଣ ଗ୍ରାହକଙ୍କ ସହ ଜଡ଼ିତ ବ୍ୟକ୍ତିଗତ ପରିଚୟ ସମ୍ବନ୍ଧୀୟ ତଥ୍ୟ ଥିବା ସ୍ପଷ୍ଟ ହୋଇଛି। ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବର, ଜନ୍ମ ତାରିଖ, ନାମ, ଲିଙ୍ଗ, ଇମେଲ୍ ଠିକଣା ଓ ଘରର ଠିକଣାକୁ ହ୍ୟାକରମାନେ ଏସ୍ବିଆଇ ରେକର୍ଡରୁ ଚୋରକରିବାକୁ ସକ୍ଷମ ହୋଇଛନ୍ତି। ଚୋରି ରେକର୍ଡଗୁଡ଼ିକରେ ବ୍ୟାଙ୍କ ଶାଖା ସମ୍ବନ୍ଧୀୟ ତଥ୍ୟ, ଗ୍ରାହକଙ୍କ କଷ୍ଟମର ଇନ୍ଫର୍ମେସନ୍ ଫାଇଲ୍ ଆଇଡି, ଲିଡ୍ ଆଇଡି ସହିତ ଋଣ ଓ ଲିଡ୍ ରେକର୍ଡ ସମ୍ବନ୍ଧିତ ଫାଇଲ୍ର ମେଟାଡାଟା ମଧ୍ୟ ରହିଥିବା ଏସ୍ବିଆଇ ସ୍ପଷ୍ଟ କରିଛି। ବ୍ୟାଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ ଗ୍ରାହକଙ୍କ ତଥ୍ୟ ଚୋରି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଏହା ବ୍ୟାଙ୍କର କାର୍ଯ୍ୟକଳାପକୁ ପ୍ରଭାବିତ କରିନାହିଁ। ବ୍ୟାଙ୍କର ମୁଖ୍ୟ ବ୍ୟବସାୟିକ କାର୍ଯ୍ୟ ସ୍ୱାଭାବିକ ଭାବେ ଜାରି ରହିଛି। ଏଥିରେ କୌଣସି ବାଧା ସୃଷ୍ଟି ହୋଇନାହିଁ। ବ୍ୟାଙ୍କ ତୁରନ୍ତ ସାଇବର ଘଟଣାର ମୁକାବିଲା ଓ ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିଜର ନିର୍ଦ୍ଧାରିତ ପ୍ରୋଟୋକଲକୁସକ୍ରିୟ କରିଛି। ଲିକ୍ ହୋଇଥିବା ତଥ୍ୟର ସତ୍ୟତା ଜାଣିବା ପାଇଁ ବିସ୍ତୃତ ତଦନ୍ତ ଆବଶ୍ୟକ। ଏଥିସହ ତଥ୍ୟ ଲିକ୍ର ସମ୍ଭାବ୍ୟ ଉତ୍ସ ଚିହ୍ନଟ କରିବା, କେତେ ପରିମାଣର ତଥ୍ୟ ପ୍ରକାଶ ପାଇଛି ଓ ଗ୍ରାହକ ଓ ବ୍ୟାଙ୍କ ପ୍ରତି ଥିବା ବିପଦର ଆକଳନ କରିବା ଜରୁରୀ ବୋଲି କହିଛି ଏସ୍ବିଆଇ। ଜାତୀୟ ଗଣମାଧ୍ୟମର ଦାବି ଅନୁସାରେ, ସିରିଅସିମ୍ ନାମକ ଗୋଟିଏ ଅଜ୍ଞାତ ହ୍ୟାକର୍ ଗ୍ରୁପ ଡାର୍କ ୱେବ୍ ଫୋରମ୍ ‘ବ୍ରିଚ୍ଫୋରମ୍ସ’ ରେ ଏସ୍ବିଆଇର ପ୍ରାୟ ୩ ଲକ୍ଷ ୭୫ ହଜାର ଗ୍ରାହକଙ୍କ ତଥ୍ୟ ହାସଲ କରିଥିବା ଦାବି କରିଥିଲା। ତେବେ ଏସ୍ବିଆଇ ହ୍ୟାକ କରିଥିବା ଗ୍ରୁପର ନାଁ ସାର୍ବଜନୀନ କରିନାହିଁ।
