ତିରୁଅନନ୍ତପୁରମ୍: ଗୁରୁବାର ଭୋର ସମୟରେ ଏହି ଜିଲ୍ଲାର ପାରାସାଲା ରେଳ ଷ୍ଟେସନ୍ ନିକଟରେ ହୋଇଥିବା ଭୂସ୍ଖଳନ ଯୋଗୁଁ ବିଳାସପୁର-ତିରୁନେଲଭେଲି ଏକ୍ସପ୍ରେସର ଇଞ୍ଜିନ୍ ଲାଇନ୍ଚ୍ୟୁତ ହୋଇଯାଇଛି। ଏହି ଘଟଣା ଯୋଗୁଁ ରେଳ ସେବା ବାଧାପ୍ରାପ୍ତ ହୋଇଥିଲା ଏବଂ ରେଳବାଇ ପକ୍ଷରୁ ଛଅଟି ଯାତ୍ରୀବାହୀ ଟ୍ରେନ୍ ବାତିଲ କରାଯିବା ସହ ଦୁଇଟି ଏକ୍ସପ୍ରେସ ଟ୍ରେନ୍ର ଚଳାଚଳ ଆଂଶିକ ଭାବେ ବାତିଲ କରାଯାଇଥିଲା। ଭୂସ୍ଖଳନ ପରେ ଟ୍ରେନ୍ ନମ୍ବର ୨୨୬୧୯ ବିଳାସପୁର-ତିରୁନେଲଭେଲି ଏକ୍ସପ୍ରେସ ପାରାସାଲା ନିକଟରେ ଅଟକି ରହିଥିବା ବେଳେ ଭୋର ୨ଟା ୧୯ ମିନିଟ୍ ସମୟରେ ଏହି ଘଟଣା ଘଟିଥିଲା। ଟ୍ରେନ୍ଟି ସେଠାରେ ଅଟକିବା ପରେ ଇଞ୍ଜିନ୍ଟି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଥିଲା ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଦକ୍ଷିଣ ରେଳବାଇ (ଝକ୍ଟଙ୍କଗ୍ଧଷରକ୍ସଦ୍ଭ ଜବସକ୍ଷଙ୍ଗବଚ୍ଚ) ଏକ ବିବୃତ୍ତିରେ କହିଛି ଯେ, “ସମସ୍ତ ଯାତ୍ରୀ ଏବଂ ରେଳ କର୍ମଚାରୀ ସୁରକ୍ଷିତ ଅଛନ୍ତି।” ଟ୍ରେନ୍କୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ ଏକ ବିକଳ୍ପ ଇଞ୍ଜିନ୍ର ବ୍ୟବସ୍ଥା କରାଯାଇଥିଲା। ଏହା ସହିତ, ରେଳ ଟ୍ରାକ୍ ମରାମତି ଏବଂ ସେବା ପୁନଃ ଆରମ୍ଭ କରିବା ପାଇଁ କର୍ମଚାରୀ ଓ ଆବଶ୍ୟକୀୟ ସାମଗ୍ରୀ ସହ ଏକ ‘ଆକ୍ସିଡେଣ୍ଟ ରିଲିଫ୍ ଟ୍ରେନ୍’ (ଇଜଞ) ଘଟଣାସ୍ଥଳକୁ ପଠାଯାଇଥିଲା। ଦକ୍ଷିଣ ରେଳବାଇର ସଦ୍ୟତମ ସୂଚନା ଅନୁଯାୟୀ, ରେଳ କର୍ମଚାରୀମାନେ ଟ୍ରାକ୍ ମରାମତି କାର୍ୟ୍ୟ ସମ୍ପନ୍ନ କରିବା ପରେ ସକାଳ ୮ଟା ୧୦ ମିନିଟ୍ ସୁଦ୍ଧା ନେୟାତ୍ତିନକାରା-ପାରାସାଲା ବିଭାଗରେ ରେଳ ସେବା ପୁନଃସ୍ଥାପିତ ହୋଇଥିଲା। ଲାଇନ୍ଚ୍ୟୁତ ହୋଇଥିବା ଇଞ୍ଜିନ୍କୁ ପୁନର୍ବାର ଲାଇନ୍ ଉପରକୁ ଅଣାଯାଇ ସେଠାରୁ ହଟାଇ ଦିଆଯାଇଛି ଏବଂ ଟ୍ରାକ୍ ମରାମତି କାର୍ୟ୍ୟ ସଫଳତାର ସହ ଶେଷ ହୋଇଛି। ଆବଶ୍ୟକୀୟ ସୁରକ୍ଷା ଯାଞ୍ଚ ପରେ ଟ୍ରେନ୍ ଚଳାଚଳ ପୁନଃ ଆରମ୍ଭ ହୋଇଥିଲା। ରେଳବାଇର ସୂଚନା ଅନୁଯାୟୀ, କନ୍ୟାକୁମାରୀ-ମଙ୍ଗାଳୁରୁ ସେଣ୍ଟ୍ରାଲ ପରଶୁରାମ ଏକ୍ସପ୍ରେସ, ଯାହା ଏହି ଘଟଣା ଯୋଗୁଁ ବିଳମ୍ବିତ ଗୁରୁବାର ଦିନ ସକାଳ ୧୦.୪୦ ରେ ଥିରୁଅନନ୍ତପୁରମ୍ ସେଣ୍ଟ୍ରାଲରୁ ଛାଡ଼ିବାକୁ ଥିବା ଟ୍ରେନ୍ ନଂ ୧୬୧୨୨ ଥିରୁଅନନ୍ତପୁରମ୍ ସେଣ୍ଟ୍ରାଲ୍-ତାମ୍ବାରମ୍ ଅମୃତ ଭାରତ ଏକ୍ସପ୍ରେସ୍, ଏବେ ନାଗରକୋଇଲ୍ ଟାଉନ୍ରୁ ସକାଳ ୧୧.୪୭ ରେ ଯାତ୍ରା ଆରମ୍ଭ କରିବ। ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ ଥିରୁଅନନ୍ତପୁରମ୍ ସେଣ୍ଟ୍ରାଲ୍ ଏବଂ ନାଗରକୋଇଲ୍ ଟାଉନ୍ ମଧ୍ୟରେ ଚଳାଚଳ କରୁଥିବା ସେବାକୁ ଆଂଶିକ ଭାବେ ବାତିଲ କରାଯାଇଛି। ଏହା ପୂର୍ବରୁ, ଅକ୍ଟୋବର ୨୦ ତାରିଖରେ ବିଳାସପୁରରୁ ଯାତ୍ରା ଆରମ୍ଭ କରିଥିବା ବିଳାସପୁର-ତିରୁନେଲଭେଲି ଏକ୍ସପ୍ରେସ୍କୁ ରେଳ ବିଭାଗ ନେୟାତ୍ତିନକାରା ଠାରେ ହିଁ ଅଟକାଇ ଦେଇଥିଲା। ନେୟାତ୍ତିନକାରା ଏବଂ ତିରୁନେଲଭେଲି ମଧ୍ୟରେ ଥିବା ରେଳପଥରେ ସେବା ଆଂଶିକ ଭାବେ ବାତିଲ କରାଯାଇଥିଲା ଏବଂ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବା ପାଇଁ ବସ୍ ବ୍ୟବସ୍ଥା କରାଯାଇଥିଲା। ପାରାସାଲା ରେଳ ଷ୍ଟେସନ୍ ନିକଟରେ ଚାଲିଥିବା ମରାମତି କାର୍ୟ୍ୟ ଯୋଗୁଁ ଗୁରୁବାର ଦିନ ଚଳାଚଳ କରିବାକୁ ଥିବା ଛଅଟି ଯାତ୍ରୀବାହୀ ଟ୍ରେନ୍କୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି। ବାତିଲ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି – ଥିରୁଅନନ୍ତପୁରମ୍ ନର୍ଥ-ନାଗରକୋଇଲ୍ ଜଙ୍କସନ୍ ପ୍ୟାସେଞ୍ଜର, ନାଗରକୋଇଲ୍ ଜଙ୍କସନ୍-କୋଲ୍ଲାମ୍ ଜଙ୍କସନ୍ ପ୍ୟାସେଞ୍ଜର, ନାଗରକୋଇଲ୍ ଜଙ୍କସନ୍-ଥିରୁଅନନ୍ତପୁରମ୍ ନର୍ଥ ପ୍ୟାସେଞ୍ଜର, କୋଲ୍ଲାମ୍ ଜଙ୍କସନ୍-ନାଗରକୋଇଲ୍ ଜଙ୍କସନ୍ ପ୍ୟାସେଞ୍ଜର ଏବଂ ଥିରୁଅନନ୍ତପୁରମ୍ ନର୍ଥ-ନାଗରକୋଇଲ୍ ଜଙ୍କସନ୍ ପ୍ୟାସେଞ୍ଜର। ଏହି ଅଞ୍ଚଳରେ ପ୍ରବଳ ବର୍ଷା ଚାଲିଥିବା ସମୟରେ ଏଭଳି ଘଟଣା ଘଟିଛି। ଭାରତୀୟ ପାଣିପାଗ ବିଭାଗ (ଓଗଊ) ବୁଧବାର ଦିନ ଥିରୁଅନନ୍ତପୁରମ୍ ଜିଲ୍ଲା ପାଇଁ ‘ଅରେଞ୍ଜ ଆଲର୍ଟ’ ଜାରି କରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଥିଲା। ଏହା ସହିତ ଅକ୍ଟୋବର ୨୨ ରୁ ଅକ୍ଟୋବର ୨୫ ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ‘ୟେଲୋ ଆଲର୍ଟ’ ମଧ୍ୟ ଜାରି କରାଯାଇଛି।
