ଚେନ୍ନାଇ: ସରକାର ଗଠନ କରିବାର ପ୍ରାୟ ଦୁଇ ସପ୍ତାହ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଗୁରୁବାର କଂଗ୍ରେସର ଦୁଇଜଣ ବିଧାୟକଙ୍କ ସମେତ ୨୩ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବରେ ସାମିଲ କରି ତାଙ୍କ କ୍ୟାବିନେଟର ସଂପ୍ରସାରଣ କରିଛନ୍ତି। କିଲିୟୁରର ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ଦଳର ଏସ୍. ରାଜେଶ କୁମାର ଏବଂ ମେଲୁର କ୍ଷେତ୍ରରୁ ଜିତିଥିବା ପି. ବିଶ୍ୱନାଥନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାମିଲନାଡୁରେ ୫୯ ବର୍ଷ ଧରି କ୍ଷମତାରୁ ବାହାରେ ରହିବା ପରେ କଂଗ୍ରେସ ଗୁରୁବାର ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱରେ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ନେତୃତ୍ୱାଧୀନ ସରକାରରେ ଯୋଗ ଦେଇଛି। ଡିଏମ୍କେ ନେତୃତ୍ୱାଧୀନ ମେଣ୍ଟରେ ୫ଟି ବିଧାନସଭା ଆସନ ଜିତିଥିବା ଦଳ ଶ୍ରୀ ବିଜୟଙ୍କ ସହାୟତା ପାଇଁ ପ୍ରଥମେ ଆଗେଇ ଆସିଥିଲା। କାରଣ ସେ ବହୁମତ ସଂଖ୍ୟାରୁ କମ୍ ଥିଲେ। ଆଜିର ସଂପ୍ରସାରଣ ପରେ କ୍ୟାବିନେଟ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ସୂତ୍ର ଅନୁସାରେ, ମେଣ୍ଟ ସହଯୋଗୀ ବିଦୁଥଲାଇ ଚିରୁଥାଇଗଲ କାଚି ଏବଂ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍ ପାଇଁ ଦୁଇଟି ମନ୍ତ୍ରୀ ପଦ ଖାଲି ରଖାଯାଇଛି, ଯଦିଓ ଉଭୟ ଦଳ ଏପର୍ଯ୍ୟନ୍ତ ସେମାନଙ୍କର ପ୍ରତିନିଧିଙ୍କ ନାମ ଚୂଡ଼ାନ୍ତ କରିନାହାଁନ୍ତି।

ଆଜି ଶପଥ ନେଇଥିବା ଟିଭିକେ ବିଧାୟକମାନଙ୍କ ମଧ୍ୟରେ ଶ୍ରୀନାଥ, କମଳୀ ଏସ୍, ସି ବିଜୟଲକ୍ଷ୍ମୀ, ଆରଭି ରଞ୍ଜିତକୁମାର, ବିନୋଥ, ରାଜୀବ, ବି ରାଜକୁମାର, ଭି ଗାନ୍ଧୀରାଜ, ମଥାନ ରାଜା ପି, ଜେଗଡେଶ୍ୱରୀ କେ, ରାଜେଶ କୁମାର ଏସ୍, ଏମ୍ ବିଜୟ ବାଲାଜୀ, ଲୋଗେଶ ତାମିଲସେଲଭାନ ଡି, ବିଜୟ ତାମିଲନ ପାର୍ôଥବାନ ଏ, ରମେଶ, ପି ବିଶ୍ୱନାଥନ, କୁମାର ଆର, ଥେନାରାସୁ କେ, ଭି ସମ୍ପଥ କୁମାର, ମହମ୍ମଦ ଫରଭାସ ଜେ, ଡି ଶରତକୁମାର, ଏନ୍. ମାରି ୱିଲସନ, ଭିଗ୍ନେଶ କେ। ବିଜୟଙ୍କ ନେତୃତ୍ୱାଧୀନ ସରକାରରେ ଶପଥ ନେଇଥିବା ଦୁଇ କଂଗ୍ରେସ ବିଧାୟକ ହେଉଛନ୍ତି ରାଜେଶ କୁମାର ଏବଂ ଥିରୁ ପି. ବିଶ୍ୱନାଥନ୍। ଶପଥ ଗ୍ରହଣ ସମାରୋହ ଆରମ୍ଭରେ ବନ୍ଦେ ମାତରମ୍ ବାଜିଥିଲା ଏବଂ ଜାତୀୟ ଗୀତ ପରେ ତାମିଲ ସଙ୍ଗୀତ ବାଜିଥିଲା। ସିଟିଭିକେ ସିପିଆଇ, ସିପିଏମକୁ ଆନୁଷ୍ଠାନିକ ଭାବରେ ମିଳିତ ମନ୍ତ୍ରଣାଳୟରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ମେ ୧୦ ତାରିଖରେ ବିଜୟ ୯ ଜଣ ମନ୍ତ୍ରୀଙ୍କ ସହିତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ।
