କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍) ୨୦୨୬ର ୬୫ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଛନ୍ତି। କୋଲକାତାର ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ୍ ଖେଳାଯାଉଛି। ଟସ୍ ଜିଣି ଘରୋଇ ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ରଣନୀତି ଅନୁସାରେ ବିପକ୍ଷ ଦଳ ଉପରେ ଆକ୍ରମଣ କରିଥିଲା। ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଛି। ଏହି ମ୍ୟାଚ୍ ଜିତିବା ପାଇଁ କୋଲକାତାକୁ ୧୪୮ ରନ୍ର ଲକ୍ଷ୍ୟ ମିଳିଛି। ବର୍ଷା ବାଧିତ ମ୍ୟାଚ୍ରେ ମୁମ୍ବାଇର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ ଦେଖାଯାଇଥିଲା। ଦଳ ୫୦ ରନ୍ ପୂରା କରିବା ପୂର୍ବରୁ ଆଗଧାଡ଼ିର ୪ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା। ରିୟାନ ରିକେଲ୍ଟନ (୬ ରନ୍), ନମନ ଧୀର (ଶୂନ୍ୟ), ରୋହିତ ଶର୍ମା (୧୫ ରନ୍) ଓ ସୂର୍ଯ୍ୟକୁମାର ଯାଦବ (୧୫ ରନ୍) ଶସ୍ତାରେ ଆଉଟ୍ ହୋଇଥିଲେ। କୋଲକାତାର ବୋଲରଙ୍କ ଆଗରେ ମୁମ୍ବାଇର ବ୍ୟାଟରମାନେ ଜଣକ ପରେ ଜଣେ ଆତ୍ମସମର୍ପଣ କରିଥିଲେ। ସେହିପରି ବିସ୍ଫୋରକ ବ୍ୟାଟର ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱିଲ୍ ଜ୍ୟାକ ମଧ୍ୟ ସଫଳତାର ସହିତ ବ୍ୟାଟିଂ କରିପାରି ନଥିଲେ। ତିଳକ ବର୍ମା ୨୦ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୨୬ ରନ୍ ଏବଂ ୱିଲ୍ ଜ୍ୟାକ୍ ୧୪ ରନ୍ କରି ଆଉଟ ହୋଇଥିଲେ। କୋର୍ବିନ ବସ ଦଳ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୧୮ଟି ବଲ୍ ଖେଳି ୩ଟି ଚୌକା ଏବଂ ୨ଟି ଛକା ବଳରେ ଅପରାଜିତ ୩୨ ରନ୍ ସଂଗ୍ରହ କରିଥିଲେ। ଦୀପକ ଚାହର ୭ଟି ବଲ୍ ଖେଳି ୨ଟି ଚୌକା ବଳରେ ୧୦ ରନ୍ ସଂଗ୍ରହ କରିଥିଲେ। କୋଲକାତା ପକ୍ଷରୁ ସୌରଭ ଦୁବେ, କ୍ୟାମରୁନ ଗ୍ରିନ ଏବଂ କାର୍ତ୍ତିକ ତ୍ୟାଗୀ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ସୁନୀଲ ନାରାୟଣଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
