ପୁରୀ: ପୁରୀ ସମୁଦ୍ରତଟ ଅଞ୍ଚଳରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ପୂର୍ବ ଶତ୍ରୁତା ଓ ଭଡ଼ାକୁ କେନ୍ଦ୍ର କରି ବଳିଆପଣ୍ଡା ଥାନା ଅଞ୍ଚଳରେ ତିନିଜଣ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି। ଆକ୍ରମଣରେ ବଳିଆପଣ୍ଡା ଅଞ୍ଚଳର ରମେଶ ପ୍ରଧାନ, ଗୁଡ଼ୁ ପ୍ରଧାନ ଓ ନୀତିଶ ବେହେରା ଆହତ ହୋଇଥିବାବେଳେ ରମେଶଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି।ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ୪ଟା ସମୟରେ ବୁଲେଟ ଓ ଟଟୋରେ ଆସିଥିବା ଚାରିଜଣ ଯୁବକ ବଳିଆପଣ୍ଡା ପ୍ରାଚୀ ଛକ ନିକଟରେ ହଠାତ୍ ଛୁରୀରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଘଟଣାର ଖବର ପାଇ ବଳିଆପଣ୍ଡା ଥାନା ଅଧିକାରୀ ସୁନୀଲ ଯାଦବ ଓ ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଅନ୍ୟପଟେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଲାଇଟ୍?ହାଉସ୍ ନିକଟରେ ଅଟୋ ଚାଳକମାନଙ୍କ ମଧ୍ୟରେ ଭଡ଼ାକୁ ନେଇ ପ୍ରଥମେ କଥାକାଟାକାଟି ହୋଇଥିଲା। ପରେ ଏହା ଉତ୍ତେଜନାର ରୂପ ନେଇ ଝଗଡ଼ା ଓ ଛୁରାମାଡ଼ରେ ପରିଣତ ହୋଇଥିଲା। ଘଟଣାରେ ସଂପୃକ୍ତ ଦୁଇଜଣ ଅଟୋ ଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେହିପରି ଘଟଣାସ୍ଥଳରୁ ଦୁଇଟି ବାଇକ୍ ମଧ୍ୟ ଜବତ କରାଯାଇଛି।ଘଟଣା ପରେ ବଳିଆପଣ୍ଡା ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି।
