ବାରିପଦା /କରଞ୍ଜିଆ: କରଞ୍ଜିଆ ବନଖଣ୍ଡ ଅଧୀନ ସିଙ୍ଗଡ଼ା ସେକ୍ସନର ହଳଦୀଆ ଓ ପୋଖରୀଆ ଗାଁରେ ଗୋଠଛଡ଼ା ଦନ୍ତା ହାତୀର ଉତ୍ପାତ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ହାତୀଟି ଗାଁରେ ପଶି ୩ଟି ଘର ଭାଙ୍ଗିବା ସହ ଧାନ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ନଷ୍ଟ କରିଦେଇଛି। ଘଟଣା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ହଳଦୀଆ ଗାଁର ଚିନି ନାଏକ ଓ ଦେବ ନାଏକଙ୍କ ଘରକୁ ହାତୀଟି ଆକ୍ରମଣ କରି ମାଟି କାନ୍ଥ ଭାଙ୍ଗି ଦେଇଥିଲା। ଏଥିରେ ଘରର କିଛି ଅଂଶ ଧ୍ୱସ୍ତ ହୋଇଯାଇଥିଲା। ଘର ଭିତରେ ରଖାଯାଇଥିବା ଧାନ, ଚାଉଳ ଓ ଖାଦ୍ୟ ସାମଗ୍ରୀ ମଧ୍ୟ ହାତୀଟି ଖାଇଦେଇଥିଲା।ରାତିରେ ପରିବାର ଲୋକେ ଶୋଇଥିବା ସମୟରେ ହଠାତ୍ ହାତୀ ଆସି ଘର କାନ୍ଥ ଭାଙ୍ଗିବାରୁ ଚିନି ନାଏକଙ୍କ ଘରର ଟାଇଲ୍ ଖସିପଡ଼ିଥିଲା। ତେବେ ଗାଁ ଲୋକଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟମାନେ ଘର ଛାଡ଼ି ପଳାଇଯାଇ ଅଳ୍ପକେ ଜୀବନ ରକ୍ଷା କରିପାରିଥିଲେ। ଘଟଣାରେ କେହି ଆହତ ହୋଇନଥିଲେ ମଧ୍ୟ ଘର ଓ ଖାଦ୍ୟ ସାମଗ୍ରୀର ବ୍ୟାପକ କ୍ଷତି ଘଟିଛି। ପରେ ଗାଁ ଲୋକ ଓ ବନ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ହାତୀଟିକୁ ଗାଁରୁ ଘଉଡ଼ାଇ ଦିଆଯାଇଥିଲା। କିନ୍ତୁ ହାତୀଟି ପୁନର୍ବାର ପୋଖରୀଆ ଗାଁରେ ପଶି ବୁଧୁରାମ ଜେରାଇଙ୍କ ମାଟି ଘର ଭାଙ୍ଗି ଧାନ ଓ ଚାଉଳ ନଷ୍ଟ କରିଥିଲା। ସେଠାରେ ମଧ୍ୟ ବନ କର୍ମଚାରୀ ଓ ଗ୍ରାମବାସୀଙ୍କ ସହଯୋଗରେ ହାତୀଟିକୁ ଜଙ୍ଗଲ ଅଭିମୁଖେ ଘଉଡ଼ାଇ ଦିଆଯାଇଥିଲା। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଉକ୍ତ ଗୋଠଛଡ଼ା ଦନ୍ତାଟି ବର୍ତ୍ତମାନ ରରୁଆଁ ସେକ୍ସନ ଦେଓଢିପା ଅଞ୍ଚଳରେ ଥିବା ୩୨ଟିକିଆ ଝାଡ଼ଖଣ୍ଡୀ ହାତୀପଲ ସହ ମିଶିଯାଇଛି। ବର୍ତ୍ତମାନ କରଞ୍ଜିଆ ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ମୋଟ ୫୭ଟି ହାତୀ ରହିଥିବା ଜଣାପଡ଼ିଛି।ସେଥିମଧ୍ୟରୁ ଦେଓଢିପା ସଂରକ୍ଷିତ ଜଙ୍ଗଲରେ ୩୩ଟି, ପାଉଦିଆରେ ୫ଟି, ଖେଜୁରିଆରେ ୨ଟି ଦନ୍ତା, ବାଦାମପାହାଡ ନାଉବୁଡାଣୀ ଅଞ୍ଚଳରେ ୮ଟି, ବିଉରିଆରେ ୩ଟି, ସାତକୋଶିଆରେ ୨ଟି ଦନ୍ତା ଓ ନଦା ସାତକୋଶିଆ କଣ୍ଟେନମେଣ୍ଟ ନମ୍ବର-୯ରେ ୪ଟି ହାତୀ ରହିଛନ୍ତି। ବନ ବିଭାଗ କହିଛି ଯେ, ଆମ୍ବ ଓ ପଣସ ପାଚୁଥିବାରୁ ଝାଡ଼ଖଣ୍ଡ ଓ ଶିମିଳିପାଳ ଅଞ୍ଚଳର ହାତୀମାନେ ଖାଦ୍ୟ ଅନ୍ୱେଷଣରେ କରଞ୍ଜିଆ ଅଞ୍ଚଳକୁ ଆସୁଛନ୍ତି। ଫଳରେ ପ୍ରାୟ ୬୦ରୁ ୭୦ଟି ଗାଁର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି।
