ବାରିପଦା /କରଞ୍ଜିଆ: କରଞ୍ଜିଆ ସହର ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଗୁଡ଼ିସାହି ବାଇପାସ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ସ୍କୁଟିରେ ଯାଉଥିବା ମାଆ–ପୁଅ ଗୁରୁତର ଆହତ ହୋଇଛନ୍ତି। ବେପରୁଆ ଭାବେ ଆସୁଥିବା ଏକ କାର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗୋଲେଇ ପଟୁ ଜେଏଚ–୦୫–ସିସି–୧୫୯୭ ନମ୍ବର ବିଶିଷ୍ଟ ଏକ କାରରେ ଦୁଇ ଜଣ ବ୍ୟକ୍ତି ବେପରୁଆ ଭାବେ କରଞ୍ଜିଆ ଅଭିମୁଖେ ଆସୁଥିଲେ। ସେହି ସମୟରେ କରଞ୍ଜିଆ ଅଞ୍ଚଳର ଯୁବ ସମାଜସେବୀ ତଥା ଜଣାଶୁଣା ଠିକାଦାର ନଗେନ୍ଦ୍ର ସିଂଙ୍କ ସାନପୁଅ ଶୁଭମ ସିଂ ଓ ସ୍ତ୍ରୀ ରିତୁ ସିଂ ନିଜ ଓଲା ସ୍କୁଟି ଯୋଗେ ଗୁଡ଼ିସାହିସ୍ଥିତ ବାସଭବନରୁ କରଞ୍ଜିଆ ସହରକୁ ଯାଉଥିଲେ। ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ପଛପଟୁ ଆସୁଥିବା କାରଟି ସ୍କୁଟିକୁ ଧକ୍କା ଦେଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ମାଆ–ପୁଅ ସ୍କୁଟିରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ ତୁରନ୍ତ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଖବର ପାଇ କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଜବତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
