ବାରିପଦା /କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା,କରଞ୍ଜିଆ ବ୍ଲକ ଅନ୍ତର୍ଗତ ମିର୍ଗିନେଣ୍ଡି ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ପର୍ଶୁରାମ ନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ,ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି। ଜଣେ ଠିକା କର୍ମଚାରୀଙ୍କ ବକେୟା ପାରିଶ୍ରମିକ ଫାଇଲ୍ ପ୍ରକ୍ରିୟାକରଣ ଓ ନିୟମିତ ଭାବେ ପାରିଶ୍ରମିକ ପ୍ରଦାନ କରାଇବା ପାଇଁ ସେ ୧୮ ହଜାର ଟଙ୍କା ଲାଞ୍ଚ ଦାବି କରୁଥିବା ଅଭିଯୋଗ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ସମ୍ପୃକ୍ତ କର୍ମଚାରୀ ୨୬ ମାର୍ଚ୍ଚ ୨୦୨୩ ଠାରୁ ୦୩ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ତାଙ୍କର ପାରିଶ୍ରମିକ ପାଇନଥିଲେ। ବିଡିଓଙ୍କ ପକ୍ଷରୁ ପାରିଶ୍ରମିକ ପ୍ରଦାନ ପାଇଁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ମଧ୍ୟ ପିଇଓ ପର୍ଶୁରାମ ନାୟକ ଟଙ୍କା ପ୍ରଦାନ କରୁନଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ କର୍ମଚାରୀଙ୍କଠାରୁ ୧୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିବାର ଅଭିଯୋଗ ହୋଇଛି। ଏପରିକି ଲାଞ୍ଚ ନଦେଲେ ପାରିଶ୍ରମିକ ଦିଆଯିବ ନାହିଁ ବୋଲି ଧମକ ମଧ୍ୟ ଦେଇଥିବା ର କୁହାଯାଇଛି। ଏନେଇ ହଇରାଣ ହେଉଥିବା କର୍ମଚାରୀ ଜଣକ ଭିଜିଲାନ୍ସ ବିଭାଗର ଶରଣାପନ୍ନ ହେବା ପରେ ଏକ ସ୍ୱତନ୍ତ୍ର ଟ୍ରାପ୍ ଅପରେସନ୍ କରାଯାଇଥିଲା। ଭିଜିଲାନ୍ସର ଏକ ଟିମ୍ ପୂର୍ବ ଯୋଜନା ଅନୁଯାୟୀ ଆଜି ପିଇଓ ପର୍ଶୁରାମ ନାୟକଙ୍କୁ କର୍ମଚାରୀଙ୍କଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଥିଲା। ତାଙ୍କ କବଜାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଟ୍ରାପ୍ ପରେ ଭିଜିଲାନ୍ସ ପକ୍ଷରୁ ଡିଏ (ଡିଷ୍ପ୍ରୋଟିନେଟ ଏସେଟ) ଦୃଷ୍ଟିକୋଣରୁ ପର୍ଶୁରାମ ନାୟକଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଓ ତଲାସି ଜାରି ରହିଛି। ଏହି ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନଂ-୭/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ-୨୦୧୮ର ଧାରା ୭ ଅନୁଯାୟୀ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ଅଭିଯୁକ୍ତ ପିଇଓଙ୍କ ବିରୋଧରେ ତଦନ୍ତ ଜାରି ଥିବା ସୂଚନା ମିଳିଛି।
