ମଣିପୁରରେ ଉଗ୍ରବାଦୀଙ୍କ ଗୁଳିରେ ୨ ଜଣଙ୍କ ମୃତ୍ୟୁ; ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ପ୍ରତିବାଦ
ଗୁଆହାଟୀ: ମଣିପୁରରେ ସୋମବାର ସକାଳେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଗୁଳିରେ ମୈତେଇ ସମ୍ପ୍ରଦାୟର ଦୁଇ ଜଣ ବ୍ୟକ୍ତ ନିହତ ହୋଇଛନ୍ତି। ଏହି ଘଟଣାର ପ୍ରତିବାଦରେ ଏକ ଉତ୍ତ୍ୟକ୍ତ ଜନତା ଇମ୍ଫାଲର ବାବୁପାରା ଅଞ୍ଚଳରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ମୃତଦେହଗୁଡ଼ିକୁ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣାସ୍ଥଳରେ ମୁତୟନ ଥିବା ପୋଲିସ କର୍ମଚାରୀମାନେ ଲୁହବୁହା ଗ୍ୟାସ୍ (ଗ୍ଧରବକ୍ସ ଶବଗ୍ଦ) ପ୍ରୟୋଗ କରି ବିକ୍ଷୋଭକାରୀଙ୍କୁ ଘଉଡ଼ାଇ ଦେଇଥିଲେ। ଏହା ପରେ ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଦେଇଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ୟୁମନମ ଖେମଚାନ୍ଦ ସିଂହ ନିଜ ବାସଭବନରେ ଉପସ୍ଥିତ ଥିଲେ କି ନାହିଁ ତାହା ତୁରନ୍ତ ଜଣାପଡ଼ିନାହିଁ।

ଉଗ୍ରବାଦୀଙ୍କ ଏହି ଆକ୍ରମଣରେ ଅନ୍ୟ ଚାରି ଜଣ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣାଟି ମୈତେଇ-ବହୁଳ ଇମ୍ଫାଲ ପୂର୍ବ ଜିଲ୍ଲା ଏବଂ କୁକି-ବହୁଳ କାଙ୍ଗପୋକପି ଜିଲ୍ଲାର ସୀମା ନିକଟବର୍ତ୍ତୀ ଏକ ସ୍ଥାନରେ ଘଟିଥିଲା। ଖବର ଅନୁଯାୟୀ, ୧୬ ଜଣ ବ୍ୟକ୍ତି ଜାଳେଣି କାଠ ସଂଗ୍ରହ କରିବା ପାଇଁ ପାହାଡ଼ ଆଡ଼କୁ ଯାଇଥିବା ବେଳେ ଉଗ୍ରବାଦୀମାନେ ସେମାନଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲେ। ନିହତ ଓ ଆହତ ବ୍ୟକ୍ତିଙ୍କ ବ୍ୟତୀତ ଆଉ ତିନି ଜଣ ନିଖୋଜ ଥିବା ଜଣାପଡ଼ିଛି। ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ, ସେମାନେ ଏକ ଗାଡ଼ିରେ ଜାଳେଣି କାଠ ଲୋଡ୍ କରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ମୈତେଇ ସମ୍ପ୍ରଦାୟକୁ ପ୍ରଭାବିତ କରୁଥିବା ଏଭଳି ଏକ ବଡ଼ ଘଟଣା ଚଳିତ ବର୍ଷ ଏପ୍ରିଲ ୭ ତାରିଖରେ ଘଟିଥିଲା। ସେତେବେଳେ ବିଷ୍ଣୁପୁର ଜିଲ୍ଲାର ଟ୍ରୋଙ୍ଗଲାଓବି ସ୍ଥିତ ଏକ ଘରେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ବୋମା ଆକ୍ରମଣରେ ଦୁଇ ଜଣ ଶିଶୁ — ଜଣଙ୍କ ବୟସ ୫ ବର୍ଷ ଏବଂ ଅନ୍ୟ ଜଣଙ୍କ ବୟସ ମାତ୍ର ୫ ମାସ — ପ୍ରାଣ ହରାଇଥିଲେ।
