ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଶନିବାର ଦିନ ଏକ ଶାନ୍ତି ବଣ୍ଡରେ ଦସ୍ତଖତ କରିବା ପରେ ସର୍ତ୍ତମୂଳକ ଜାମିନରେ ମୁକ୍ତ ହୋଇଛନ୍ତି। ଦିଲ୍ଲୀ ପୋଲିସ ଦୀପକେଙ୍କୁ ଏକ ନୋଟିସ୍ ଜାରି କରି ଶୁକ୍ରବାର ଦିନ କନଟ୍ ପ୍ଲେସ୍ଠାରେ “ଲେହରା ଦୋ ତିରଙ୍ଗା’ ଶୋଭାଯାତ୍ରା ଆୟୋଜନ ନ କରିବାକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ସେ ଏହାକୁ ମାନିବାକୁ ମନା କରିଦେବାରୁ ପୋଲିସ ତାଙ୍କୁ ଅଟକ ରଖିଥିଲା। ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ଏକ ଧଳା ରଙ୍ଗର ଟି-ସାର୍ଟ ପିନ୍ଧି, ଦୀପକେ ଅପରାହ୍ନ ପ୍ରାୟ ୪:୫୦ ସମୟରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର)ର ମୁଖପାତ୍ର ଅନିଶ ଗୱାଣ୍ଡେଙ୍କ କରୋଲ ବାଗ୍ ସ୍ଥିତ ଘରୁ ବାହାରିଥିଲେ। ଏହାର ପାଞ୍ଚ ମିନିଟ୍ ପରେ ତାଙ୍କୁ ପୋଲିସ ଉଠାଇ ନେଇଥିଲା। ଶୁକ୍ରବାର ଦିନ ଦିଲ୍ଲୀର କନଟ୍ ପ୍ଲେସ୍ରେ ଆୟୋଜିତ “ଲେହରା ଦୋ ତିରଙ୍ଗା’ ଶୋଭାଯାତ୍ରାକୁ ଯିବା ବାଟରେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ର ସଭାପତି ନେହା ବୋରାଙ୍କୁ ମଣ୍ଡି ହାଉସ୍ ନିକଟରୁ ଅଟକ ରଖାଯାଇଥିଲା। ଏହି ଶୋଭାଯାତ୍ରା ପୂର୍ବରୁ ଦିଲ୍ଲୀ ପୋଲିସ ସିଜେପି ନେତା ଅଭିଜିତ ଦୀପକେଙ୍କୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅଟକ ରଖିଥିଲା। ଦିଲ୍ଲୀ ପୋଲିସ ଆଇନ୍, ୧୯୭୮ର ଧାରା ୬୫ ଅଧୀନରେ ନେହା ବୋରାଙ୍କୁ ଅଟକ ରଖାଯାଇଥିଲା। ଏହି ଧାରା ଅନୁଯାୟୀ, ଯଦି କେହି ବ୍ୟକ୍ତି ପୋଲିସର ଯୁକ୍ତିଯୁକ୍ତ ନିର୍ଦ୍ଦେଶ ପାଳନ କରିବାକୁ ମନା କରନ୍ତି, ତେବେ ପୋଲିସ ତାଙ୍କୁ ସେହି ସ୍ଥାନରୁ ହଟାଇପାରେ କିମ୍ବା ଅଟକ ରଖିପାରେ। ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଶନିବାର ସକାଳେ ତାଙ୍କୁ ମୁକ୍ତ କରାଯାଇଥିଲା। ଦୀପକେ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଅଟକ ଥିଲେ ଏବଂ ତାଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ର ଧାରା ୧୨୬ ଓ ୧୭୦ ଅଧୀନରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ତାଙ୍କୁ ମନ୍ଦିର ମାର୍ଗ ସ୍ଥିତ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏକ ଶାନ୍ତି ବଣ୍ଡ୍ରେ ଦସ୍ତଖତ କରିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା।
