ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଲାଠୋର ଅଞ୍ଚଳରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ପୋଲିସ ପିକଅପ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଛତିଶଗଡ଼ ରାଜ୍ୟର ଖୈରାଗଡ଼ ଥାନା ଅଞ୍ଚଳର କେକରାଜବୋଡ଼ ଗ୍ରାମର ବୁଧାରୁ ଯାଦବଙ୍କ ପୁଅ ତମେଶ୍ୱର କୁମାର ଯାଦବ ଗତ ୧୭ ତାରିଖ ରବିବାର ଦିନ ଗୋଟିଏ ପିକଅପ ଗାଡ଼ିରେ ପାଇପ ସାମଗ୍ରୀ ନେଇ ଲାଠୋର ଅଞ୍ଚଳକୁ ଆସିଥିଲେ। ସାମଗ୍ରୀ ଖାଲି କରି ଫେରୁଥିବା ସମୟରେ କରୁଆଁଝର ଗ୍ରାମ ନିକଟସ୍ଥ ଏକ ବୁଲାଣିରେ ସାମ୍ନାରୁ ଆସୁଥିବା ଏକ ମୋଟରସାଇକେଲ ସହ ପିକଅପର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବେଲପଡା ଥାନା ଅନ୍ତର୍ଗତ ଜାମଖାରୀ ଗ୍ରାମର ଗିରିଜା ଶଙ୍କର ଭୋଇ (୨୬) ଗୁରୁତର ଭାବେ ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ଖପ୍ରାଖୋଲ, ପରେ ପାଟଣାଗଡ଼ ଏବଂ ଶେଷରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ମାମୁ ଡେବିରିଆମୁଣ୍ଡା ଗ୍ରାମର ରାଜୁ ଧୂବାଳଙ୍କ କହିବା ଅନୁଯାୟୀ, ଗିରିଜା ଶଙ୍କର ଶନିମେଳାରେ ଯୋଗଦେବା ପାଇଁ ମାମୁ ଘରକୁ ଆସିଥିଲେ। କୌଣସି କାମରେ ଠକପାଲି ଯାଇ ଫେରୁଥିବା ସମୟରେ ଏହି ଅଭାଗା ଦୁର୍ଘଟଣା ଘଟିଥିଲା। ଖବର ପାଇ ଲାଠୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିକଅପ ଓ ମୋଟରସାଇକେଲକୁ ଜବତ କରି ଥାନାକୁ ଆଣିଥିଲେ। ଏନେଇ ଲାଠୋର ଥାନାରେ କେସ ନଂ–୮୪/୨୦୨୬ ରେ ମାମଲା ରୁଜୁ ହୋଇଥିବା ବେଳେ ଧାରା ୨୮୧/୧୦୬(୧) ବିଏନଏସ୍? ଅନୁଯାୟୀ ପିକଅପ ଡ୍ରାଇଭର ତମେଶ୍ୱର କୁମାର ଯାଦବଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ଲାଠୋର ଥାନାଧିକାରୀ ଅଭିନାଶ ପଧାନ ସୂଚନା ଦେଇଛନ୍ତି।
