ନୂଆଦିଲ୍ଲୀ: ଚଳିତ ବର୍ଷ ଦିଲ୍ଲୀର ପିତାମପୁରାରେ ଦଶହରା ପାଳନ ଅବସରରେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ପ୍ରତିକୃତି ସହିତ ୩୦ ଫୁଟ ଉଚ୍ଚର ଏକ ଅସରପା (କକ୍ରୋଚ୍) ପ୍ରତିକୃତି ମଧ୍ୟ ଜଳାଯିବ। ଆୟୋଜକମାନଙ୍କ କହିବା ଅନୁଯାୟୀ, ଏହି ଅଭିନବ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସମାଜରୁ ଅପରିଷ୍କାର ଅବସ୍ଥା ଓ ଅସ୍ୱାସ୍ଥ୍ୟକର ପରିବେଶକୁ ଦୂର କରିବାର ଆବଶ୍ୟକତା ଉପରେ ଆଲୋକପାତ କରିବା। ପ୍ରତିବର୍ଷ ଏହି ଉତ୍ସବ ଆୟୋଜନ କରୁଥିବା “ଶ୍ରୀ କେଶବ ରାମଲୀଳା କମିଟି’ ପାରମ୍ପରିକ ବିଜୟା ଦଶମୀ ଉତ୍ସବର ଅଂଶବିଶେଷ ଭାବରେ ଜଳାଯିବାକୁ ଥିବା ପ୍ରତିକୃତିଗୁଡ଼ିକ ମଧ୍ୟରେ ଏହି ବିଶାଳ କୀଟର ପ୍ରତିକୃତିକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। କମିଟିର ସଭାପତି ତଥା ମଡେଲ ଟାଉନ୍ର ବିଜେପି ବିଧାୟକ ଅଶୋକ ଗୋଏଲ ଦେବରାହା କହିଛନ୍ତି ଯେ, ଏହି ଅସରପା ଘର, ପଡ଼ୋଶୀ ଅଞ୍ଚଳ ଏବଂ ସମାଜରେ ଥିବା ଅପରିଷ୍କାର ଅବସ୍ଥା ଓ ଅସ୍ୱାସ୍ଥ୍ୟକର ପରିବେଶର ପ୍ରତୀକ ହେବ। ଏହି ଘୋଷଣା ଏପରି ଏକ ସମୟରେ ଆସିଛି ଯେତେବେଳେ ରାଜଧାନୀ ଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ସେମାନେ ଭୋଟର ତାଲିକା ସଂଶୋଧନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛନ୍ତି। ତେବେ, ଆୟୋଜକମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ କୌଣସି ରାଜନୈତିକ ବାର୍ତ୍ତା ଦେବା ନୁହେଁ, ବରଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା। କମିଟିର ନିଷ୍ପତ୍ତି ସମ୍ପର୍କରେ ବ୍ୟାଖ୍ୟା କରି ଦେବରାହା କହିଛନ୍ତି ଯେ, ପାରମ୍ପରିକ ଭାବରେ ବିଜୟାଦଶମୀ ଅସତ୍ୟ ଉପରେ ସତ୍ୟର ଏବଂ ଅନୀତି ଉପରେ ନୀତିର ବିଜୟକୁ ସୂଚିତ କରେ। ସେ କହିଛନ୍ତି ଯେ ରାବଣ, ମେଘନାଦ ଓ କୁମ୍ଭକର୍ଣ୍ଣଙ୍କ ପ୍ରତିକୃତି ଜଳାଇବା ଦ୍ୱାରା ଦୀର୍ଘ ଦିନ ଧରି ଏହି ବାର୍ତ୍ତା ଦିଆଯାଇ ଆସୁଛି ଯେ ଶେଷରେ ଧର୍ମ ବା ସତ୍ୟର ହିଁ ବିଜୟ ହୁଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶ ଏହି ବର୍ଷ, ଆମ କମିଟି କେଶବ ରାମଲୀଳା କମିଟି ପଡ଼ିଆ ଠାରେ ଅପରିଚ୍ଛନ୍ନତାର ପ୍ରତୀକ ସ୍ୱରୂପ ଏକ ଅସରପାର ପ୍ରତିକୃତି ଦାହ କରିବାକୁ ନିଷ୍ପତ୍ତି ନେଇଛି। ଆମର ଲକ୍ଷ୍ୟ ହେଉଛି ତିନୋଟି ସ୍ଥାନରୁ ଅପରିଚ୍ଛନ୍ନତା ଦୂର କରିବା: ଆମ ଘର, ଆମ ଆଖପାଖ ଅଞ୍ଚଳ ଏବଂ ସମଗ୍ର ସମାଜ ବୋଲି ସେ କହିଛନ୍ତି। ନେତାଜୀ ସୁଭାଷ ପ୍ଲେସ୍ ନିକଟ ପିତାମପୁରରେ ଥିବା କମିଟିର ରାମଲୀଳା ପଡ଼ିଆରେ ଏହି ପ୍ରତିକୃତି ସ୍ଥାପନ କରାଯିବ। ଦେବରାହା କହିଛନ୍ତି ଯେ ଅସରପାର ଏହି ପ୍ରତିକୃତିଟି ୩୦ ଫୁଟ ଉଚ୍ଚ ହେବ, ଯାହା ପାରମ୍ପରିକ ଦଶହରା ଉତ୍ସବରେ ଏକ ନୂଆ ଆକର୍ଷଣ ଯୋଡ଼ିବ। କମିଟି ସଭାପତି କହିଛନ୍ତି ଯେ, ଆଖପାଖ ପରିବେଶକୁ ପରିଷ୍କାର ରଖିବାର ଗୁରୁତ୍ୱ ଉପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ସମସ୍ୟାକୁ ଦର୍ଶାଇବା ପାଇଁ ଆୟୋଜକମାନେ କାହିଁକି ବିଶେଷ ଭାବରେ ଏକ ଅସରପାକୁ ବାଛିଲେ ବୋଲି ପଚରାଯିବାରୁ, ଦେବରାହା କହିଲେ ଯେ ଏହି କୀଟଟି ଅପରିଚ୍ଛନ୍ନ ପରିବେଶ ସହିତ ଜଡ଼ିତ। “ଦେଖନ୍ତୁ, ଯେକୌଣସି ପ୍ରକାରର ଅପରିଚ୍ଛନ୍ନତା ହେଉଛି ଏପରି ଏକ ଜିନିଷ ଯାହାକୁ ଆମ ଦେଶ, ଆମ ସମାଜ ଏବଂ ଆମ ସ୍ଥାନୀୟ ଅଞ୍ଚଳରୁ ଦୂର କରିବା ଆବଶ୍ୟକ। ଏହି କାରଣରୁ ଆମେ ଏଭଳି ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି। ଆୟୋଜକମାନେ ଏହି ପଦକ୍ଷେପକୁ “ସ୍ୱଚ୍ଛ ଭାରତ’ ଏବଂ “ସ୍ୱଚ୍ଛ ଦିଲ୍ଲୀ’ ଅଭିଯାନ ମାଧ୍ୟମରେ ପ୍ରଚାରିତ ସ୍ୱଚ୍ଛତା ବାର୍ତ୍ତା ସହିତ ଯୋଡ଼ିଛନ୍ତି।
