ବାରିପଦା ; ମୟୂରଭଞ୍ଜ ଜିଲ୍ଲାରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦୁଇଟି ପୃଥକ୍ ଘଟଣା ସାମ୍ନାକୁ ଆସିଛି। ବାଇଗଣବାଡ଼ିଆ କଲେଜ ନିର୍ବାଚନ ପରେ ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଥିବାବେଳେ, ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଟଙ୍କା ବାଣ୍ଟିବା ଅଭିଯୋଗରେ ଜଣେ ପିଜି ଛାତ୍ରଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଏହି ଦୁଇଟି ଘଟଣାକୁ ନେଇ ଜିଲ୍ଲାରେ ଛାତ୍ର ରାଜନୀତି ଓ ନିର୍ବାଚନୀ ପରିବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ବାଇଗଣବାଡ଼ିଆ କଲେଜରେ ଛାତ୍ର ସଂସଦ ନିର୍ବାଚନର ଭୋଟିଂ ସରିବା ପରେ କୁଚେଇ ବଜାର ନିକଟସ୍ଥ ଏକ କୋଠରିରେ କିଛି ଯୁବକ ବିଶ୍ରାମ ନେଉଥିଲେ। ଏହି ସମୟରେ ପ୍ରାୟ ୩୦ରୁ ୪୦ ଜଣ ଯୁବକ ସେଠାରେ ପହଞ୍ଚି ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ର ଅଭିଯୋଗ ହୋଇଛି। ଆକ୍ରମଣରେ ହକି ଷ୍ଟିକ୍, ୱେଲ୍ଡିଂ ରଡ୍ ଓ ପଥର ବ୍ୟବହାର କରାଯାଇଥିବାବେଳେ ଏକ ଟାଟା ସଫାରି ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିବାର ଜଣାପଡ଼ିଛି। ଏହି ଆକ୍ରମଣରେ ବାଙ୍ଗିରିପୋଷି ଅଞ୍ଚଳର ଚନ୍ଦନପୁର ଗ୍ରାମର ପ୍ରିୟବ୍ରତ ବେହେରା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାର ସୂଚନା ମିଳିଛି।

ଘଟଣା ସମ୍ପର୍କରେ ଖବର ପାଇ କୁଳିଅଣା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ତେବେ ଆକ୍ରମଣର ପ୍ରକୃତ କାରଣ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସର ଆଧିକାରିକ ବିବରଣୀ ମିଳିବା ବାକି ରହିଛି। ଅନ୍ୟପକ୍ଷରେ, ବାରିପଦାସ୍ଥିତ ଏମ୍ଏସ୍ସିବି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ସମୟରେ ଟଙ୍କା ବାଣ୍ଟିବା ଅଭିଯୋଗକୁ ନେଇ ଉତ୍ତେଜନା ଦେଖାଦେଇଛି। ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଜଣେ ଛାତ୍ର ଟଙ୍କା ବାଣ୍ଟୁଥିବା ଅଭିଯୋଗ କରି କିଛି ଛାତ୍ର ତାଙ୍କୁ ଘେରି ଯାଇଥିଲେ। ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଲାଗିରହିଥିଲା। ସୂଚନା ମୁତାବକ, ଅଟକ ଛାତ୍ରଙ୍କ ପାଖରୁ ୧୦୦ ଟଙ୍କିଆ ନୋଟ୍ରେ ମୋଟ ୧୫୦୦ ଟଙ୍କା ଜବତ କରାଯାଇଥିବା ର କୁହାଯାଉଛି। ସେ ଜୁଲୋଜି ବିଭାଗର ପିଜି ପ୍ରଥମ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି। ପୋଲିସ ତାଙ୍କୁ ଅଟକ ରଖିବା ସହ ଘଟଣାସ୍ଥଳରେ ଉପୁଜିଥିବା ଉତ୍ତେଜନାକୁ ନିୟନ୍ତ୍ରଣ କରିଥିଲା। ତେବେ ଜବତ ଟଙ୍କା ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବଣ୍ଟାଯାଉଥିଲା କି ନାହିଁ, ସେନେଇ ପୋଲିସର ତଦନ୍ତ ଓ ଆଧିକାରିକ ବୟାନକୁ ଅପେକ୍ଷା କରାଯାଇଛି। ଗୋଟିଏ ପଟେ ନିର୍ବାଚନ ପରବର୍ତ୍ତୀ ହିଂସା ଓ ଅନ୍ୟପଟେ ଟଙ୍କା ବାଣ୍ଟିବା ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାର ଛାତ୍ର ରାଜନୀତିକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି। ଉଭୟ ଘଟଣାରେ ପୋଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ଏବେ ସମସ୍ତଙ୍କର ନଜର ରହିଛି।
