ପୁରୀ: ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର, ସ୍ଥାୟୀ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ଦାବିରେ ଚାଲିଥିବା ଅହିଂସାତ୍ମକ ଜନସଚେତନତା ପଦଯାତ୍ରା ଆଜି ୧୯୮ ଦିନରେ ପହଞ୍ଚିଛି। ଦୀର୍ଘ ଦିନ ଧରି ନିଜର ନ୍ୟାୟସଙ୍ଗତ ଦାବି ପୂରଣ ଅପେକ୍ଷାରେ ଥିବା ପୁରୀବାସୀଙ୍କ ସ୍ୱରକୁ ଶାନ୍ତିପୂର୍ଣ୍ଣ ଭାବେ ପ୍ରଶାସନ ନିକଟରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏପ୍ରିଲ ୧ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ସତ୍ୟାଗ୍ରହୀମାନେ ପ୍ରତିଦିନ ଭକ୍ତ ସାଲବେଗ ପୀଠରୁ ବାହାରି ସିଂହଦ୍ୱାରରେ ପହଞ୍ଚୁଛନ୍ତି। ସେଠାରେ ପତିତପାବନଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ଦାବିର ନ୍ୟାୟସଙ୍ଗତ ସମାଧାନ ପାଇଁ ପ୍ରାର୍ଥନା କରୁଛନ୍ତି। ଦିନ ପରେ ଦିନ ବିତି ଚାଲିଥିଲେ ମଧ୍ୟ ସତ୍ୟାଗ୍ରହୀଙ୍କ ଶାନ୍ତିପୂର୍ଣ୍ଣ ଉଦ୍ୟମ ଓ ଦୃଢ଼ ସଂକଳ୍ପ ଅବ୍ୟାହତ ରହିଛି।?ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା ପୁରୀବାସୀଙ୍କ ଧାର୍ମିକ ଭାବନା, ପରମ୍ପରା ଓ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ ପ୍ରଶାସନ ତୁରନ୍ତ ଆଲୋଚନା ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି।

ଆଲୋଚନା ମାଧ୍ୟମରେ ଏକ ସ୍ଥାୟୀ, ସମ୍ମାନଜନକ ଓ ସମସ୍ତଙ୍କ ପାଇଁ ଗ୍ରହଣଯୋଗ୍ୟ ସମାଧାନ ବାହାର କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।?ସତ୍ୟାଗ୍ରହୀମାନେ ସ୍ପଷ୍ଟ କରିଛନ୍ତି ଯେ, ଏହି ଆନ୍ଦୋଳନ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ନୁହେଁ। ଏହା ପୁରୀବାସୀଙ୍କ ଧାର୍ମିକ ଭାବାବେଗ ଓ ନ୍ୟାୟସଙ୍ଗତ ଦାବିକୁ ସମ୍ମାନ ଦେବା ପାଇଁ ଏକ ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଓ ଅହିଂସାତ୍ମକ ପ୍ରୟାସ। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଜନସଚେତନତା ପଦଯାତ୍ରା ଓ ନିରବ ସତ୍ୟାଗ୍ରହ ଜାରି ରହିବ ବୋଲି ସେମାନେ ଦୃଢ଼ ନିଷ୍ଠା ପ୍ରକାଶ କରିଛନ୍ତି।?ଗୁରୁବାର ଏହି ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, କିଶୋର ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମହାନ୍ତି, ଜଗଦାନନ୍ଦ ରାୟ, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ପ୍ରଣତି ରାୟ, ନିହାରିକା ତ୍ରିପାଠୀ, ମମତା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ନାୟକ, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି, ବରୁଣ ମହାପାତ୍ର ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଯୋଗଦେଇଥିଲେ।
