ପୁରୀ: ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର, ସ୍ଥାୟୀ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ଦାବିରେ ଜାରି ରହିଥିବା ଅହିଂସାତ୍ମକ ଜନସଚେତନତା ପଦଯାତ୍ରା ଆଜି ୧୯୭ ଦିନରେ ପହଞ୍ଚିଛି। ଉତ୍କଳ ଦିବସ ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସତ୍ୟାଗ୍ରହୀମାନେ ପ୍ରତିଦିନ ଭକ୍ତ ସାଲବେଗ ପୀଠରୁ ପଦଯାତ୍ରାରେ ବାହାରି ସିଂହଦ୍ୱାରରେ ପହଞ୍ଚି ପତିତପାବନଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ପ୍ରାର୍ଥନା କରୁଛନ୍ତି।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା ପୁରୀବାସୀଙ୍କ ଧାର୍ମିକ ଭାବନା ଓ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ ପ୍ରଶାସନ ଆଲୋଚନା ମାଧ୍ୟମରେ ଏକ ସ୍ଥାୟୀ, ସମ୍ମାନଜନକ ଓ ଗ୍ରହଣଯୋଗ୍ୟ ସମାଧାନ ବାହାର କରିବାକୁ ଆହ୍ୱାନ ଜଣାଇଛନ୍ତି।

ସତ୍ୟାଗ୍ରହୀମାନେ କହିଛନ୍ତି ଯେ, ଏହି ଆନ୍ଦୋଳନ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ବିରୋଧରେ ନୁହେଁ; ବରଂ ପୁରୀବାସୀଙ୍କ ଭାବାବେଗ ଓ ନ୍ୟାୟସଙ୍ଗତ ଦାବିକୁ ସମ୍ମାନ ଦେବା ପାଇଁ ଏକ ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଓ ଅହିଂସାତ୍ମକ ପ୍ରୟାସ। ଦାବିର ସମାଧାନ ନହେବା ପର୍ୟ୍ୟନ୍ତ ଏହି ସଚେତନତା ପଦଯାତ୍ରା ଓ ନିରବ ସତ୍ୟାଗ୍ରହ ଜାରି ରହିବ ବୋଲି ସେମାନେ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି। ବୁଧବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ଶ୍ରୀକାନ୍ତ ମହାନ୍ତି, ନୃସିଂହନାଥ ନାୟକ, କିଶୋର ଚନ୍ଦ୍ର ଦାସ, କାହ୍ନୁଚରଣ ପ୍ରଧାନ, ରମେଶ ଚନ୍ଦ୍ର ମହାନ୍ତି, ଜଗଦାନନ୍ଦ ରାୟ, ଅରୁଣା ପଟ୍ଟନାୟକ, ଭାରତୀ ମହାନ୍ତି, ଅଞ୍ଜୁବାଳା ମହାନ୍ତି, ସୀତା ନାୟକ, ମମତା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ନାୟକ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି, ବରୁଣ ମହାପାତ୍ର ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଯୋଗ ଦେଇଥିଲେ।
