ବାଲିଅନ୍ତା: ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାହାଡ଼ରେ ଆଜି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାଜସ୍ଥାନ ପର୍ଯ୍ୟଟକ କ୍ଷ ବୁଲାବୁଲି ସାରି ଫେରୁଥିବା ଏକ ଟ୍ରାଭେଲ୍ସ ବସ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ଯାଇଥିଲା ।ମାତ୍ର ରାସ୍ତା ପାର୍ଶ୍ୱରେ ଥିବା ଏକ ଲୁହା ଖୁଣ୍ଟ ଯୋଗୁଁ ଗାଡିଟି ଅଟକି ଯାଇଥିଲା । ଏଥିସହ ଏଥିରେ ବସିଥିବା ସମସ୍ତ ଯାତ୍ରୀ ବର୍ତ୍ତି ଯାଇଥିଲେ ।ଘଟଣାଟି ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଖବରନେବାରେ ଜଣାପଡିଛି ରାଜସ୍ଥାନର “ଟଙ୍କ’ ଗ୍ରାମରୁ ୧୧ ଜଣ ପର୍ଯ୍ୟଟକଙ୍କୁ ନେଇ ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିବା ପାଇଁ ଆସିଥିଲେ । ଆଜି ସକାଳେ ସେମାନେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି ଶାନ୍ତିସ୍ତୁପ ଧଉଳି ବୁଲିବାକୁ ଆସିଥିଲେ ।ସେଠାରେ ସ୍ତୁପ ଓ ଶ୍ରୀ ଧବଳେଶ୍ୱର ଦର୍ଶନ ସାରି ଶ୍ରୀ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା ପାଇଁ ଯାଉଥିଲେ କ୍ଷ ଅପରାହ୍ନ ପ୍ରାୟ ୨ ଟାରେ ଟ୍ରାଭେଲ୍ସ ବସଟି ଧବଳେଶ୍ୱର ମନ୍ଦିରରୁ ଫେରିବା ସମୟରେ ବୁଲାଣି ନିକଟରେ ଭାରସାମ୍ୟ ହରାଇ ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଇ ଓଲଟି ପଡ଼ିଥିଲା। ମାତ୍ର ବସଟି ସେଠାରେ ଏକ ଲୁହା ଖୁଣ୍ଟରେ ଅଟକି ଯାଇଥିଲା । ଖବରପାଇ ଧଉଳି ପୁଲିସ ସେଠାରେ ପହଞ୍ଚି ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଅବସ୍ଥାରେ ବସରୁ ବାହାର କରିଥିଲେ । କିଛି ପର୍ଯ୍ୟଟକ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ଅନ୍ୟ ଏକ ଟ୍ରାଭେଲ୍ସ ଗାଡ଼ିରେ ପର୍ଯ୍ୟଟକ ମାନେ ଶ୍ରୀ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ । ପୁଲିସ ଦୁର୍ଘଟଣା ଗ୍ରସ୍ତ ବସକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।
